
ବେଳେବେଳେ କାହାକୁ ଦେଖିଲେ ତାଙ୍କ ଚେହେରା ଚିହ୍ନା ଚିହ୍ନା ଲାଗେ। ହେଲେ ମନେ ପଡ଼ି ନ ଥାଏ ସେହି
ବ୍ୟକ୍ତିଙ୍କ ନାମ। କେବେ ଭାବିଛନ୍ତି କି ଏଭଳି କାହିଁକି ହୁଏ? ଏଥର ଜାଣିବା
ଏହି ପ୍ରଶ୍ନର ଉତ୍ତର..
ଏମିତି ଅନେକ ସମୟରେ ହୁଏ ବାଟେଘାଟେ କେହି ଦେଖାହେଲେ ଚେହେରା ଚିହ୍ନା ଲାଗେ ସିନା ନଁା ମନେ ପଡ଼ି ନ ଥାଏ। ଏମିତି କାହିଁକି ହୁଏ ଅନେକେ ଜାଣି ନ ଥାଆନ୍ତି। କେବଳ ନିଜର ସ୍ମରଣ ଶକ୍ତି ଦୁର୍ବଳ ବୋଲି ଭାବନ୍ତି। ତେବେ ଏହା ପଛର କାରଣ କ’ଣ?
ପ୍ରକୃତ କଥା ହେଲା ନଁା ମନେ ନ ରହିବା, ହେଲେ ଚେହେରା ମନେରହିବା ହେଉଛି ଏକ ସାମାନ୍ୟ ମନୋବୈଜ୍ଞାନିକ ସ୍ଥିତି। ଯାହାକୁ ଆମେ କେବେ ନା କେବେ ଅନୁଭବ କରିଥାଉ। ଏହାପଛର କାରଣ ଆମ ମସ୍ତିଷ୍କର କାର୍ଯ୍ୟ ପ୍ରଣାଳୀ, ସ୍ମରଣଶକ୍ତି ଓ ତଥ୍ୟକୁ ପ୍ରୋସେସ୍ କରିବାର ପଦ୍ଧତି ସହ ଜଡ଼ିତ। ମଣିଷର ମସ୍ତିଷ୍କ ନିଜ ପଦ୍ଧତିରେ ତଥ୍ୟକୁ ପ୍ରୋସେସ୍ କରିଥାଏ। ଚେହେରା ଓ ନଁାକୁ ଚିହ୍ନିବାର ପ୍ରକ୍ରିୟା ଭିନ୍ନ ଭିନ୍ନ ହୋଇଥାଏ। ଚେହେରା ଓ ନଁା ଉଭୟ ଭିନ୍ନ ଭିନ୍ନ ସୂଚନା। ଯାହାକୁ ଆମେ ଭିନ୍ନ ଭିନ୍ନ ଉପାୟରେ ମନେରଖୁ। ଚେହେରାକୁ ଚିହ୍ନିବା ଲାଗି ବ୍ୟକ୍ତିଙ୍କ ଶାରୀରିକ ବିଶେଷତ୍ୱ ଯେମିତିକି ଆଖି, ନାକ, ଓଠ, ଚେହେରା ଓ ଚେହେରାର ବିଭିନ୍ନ ଅଙ୍ଗକୁ ଏକାସହିତ ଯୋଡ଼ି ଚିହ୍ନିଥାଉ। ଆମର ମସ୍ତିଷ୍କ ଚେହେରାକୁ ଚିହ୍ନିବା ଲାଗି ଏକ ଖାସ୍ ପ୍ରଣାଳୀ ବ୍ୟବହାର କରିଥାଏ, ଯାହାକୁ ଫେସ୍ ଇନହିବିସନ୍ ସିଷ୍ଟମ କୁହାଯାଏ। ଏହି ପ୍ରଣାଳୀ ଦ୍ୱାରା ଚେହେରାର ପ୍ରତି ଛୋଟ ଡିଟେଲ ମସ୍ତିଷ୍କ ସହ ଯୋଡ଼ିହୋଇଥାଏ। ଯେମିତିକି ଆଖି କିଭଳି, ଚେହେରାର ଗଢଣ କେମିତି, ତ୍ୱଚାର ରଙ୍ଗ କିଭଳି ଆଦି। ଏହି ପ୍ରକ୍ରିୟାରେ ମସ୍ତିଷ୍କର ଫୁଜିଫର୍ମ କୋର୍ଟେକ୍ସ ନାମକ ଅଂଶ ପ୍ରମୁଖ ଭୂମିକା ତୁଲାଇଥାଏ। ଯାହାକି ଚେହେରା ମନେରଖିବା ଓ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ପ୍ରକ୍ରିୟା ଏତେ ଶୀଘ୍ର ଓ ପ୍ରଭାବୀ ହୋଇଥାଏ ଯେ, ଆମେ ବେଶି କଷ୍ଟ ନ କରି ଅନ୍ୟର ଚେହେରା ଚିହ୍ନିଯାଉ। ଏହି କାରଣରୁ ହିଁ ଆମେ କାହାକୁ ଥରେ ଦେଖିଲେ ତାଙ୍କ ଚେହେରା ମନେ ରହିଯାଏ। ସେ ନଁା ମନେ ଥାଉ ଅବା ନ ଥାଉ।
ଅନ୍ୟପକ୍ଷେ ନଁାକୁ ଚିହ୍ନିବା ଓ ମନେ ରଖିବା ପ୍ରକ୍ରିୟା କିଛିଟା ଭିନ୍ନ। ନଁା ହେଉଛି ଏକ ଅବଷ୍ଟ୍ରାକ୍ଟ ଇନପୁଟ୍ ବା ଥିଓରେଟିକାଲ ଇନଫର୍ମେଶନ୍। ଯାହାର କୌଣସି ଶାରୀରିକ ରୂପ ନ ଥାଏ। ନଁାକୁ ମନେ ରଖିବା ଲାଗି ଆମକୁ ଖାସ୍କରି ସେହି ନାମ ସହିତ ଜଡ଼ିତ ବ୍ୟକ୍ତିତ୍ୱ ଅବା ଭାବନାକୁ ଯୋଡ଼ିବାକୁ ପଡ଼ିଥାଏ। ମସ୍ତିଷ୍କକୁ ନଁା ମନେରଖିବା ଲାଗି ଅଧିକ ସମୟ ଲାଗିଥାଏ। କାରଣ ଏହା କୌଣସି ଦୃଶ୍ୟ ଅବା ବାର୍ତ୍ତା ବିନା ହୋଇଥାଏ। ଚେହେରାର ବିପରୀତ ନଁାକୁ ଏକ ଖାସ୍ ମାନସିକ ସ୍ଥାନରେ ରଖିବା ଲାଗି ଆମକୁ ବହୁତ ପରିଶ୍ରମ କରିବାକୁ ପଡ଼େ। ନାଁକୁ ମନେରଖିବା ଲାଗି ମେଣ୍ଟାଲ ଆଫିଲିଏଶନ୍ର ଆବଶ୍ୟକତା ପଡ଼ିଥାଏ। ଯେମିତିକି କୌଣସି ବ୍ୟକ୍ତି ସହ ତାଙ୍କର କାମ, ଚରିତ୍ର ଅବା କିଛି ଖାସ୍ ଘଟଣାକୁ ଯୋଡ଼ିବାକୁ ପଡ଼ିଥାଏ। ତେବେ ଯାଇ କାହାରି ନଁା ମନେ ରହେ।