ମସ୍କୋ, ୧ା୯: ୧୯୧୭ରେ ବୋଲସେଭିକ୍ କ୍ରାନ୍ତି ଓ ଜାର୍ ନିକୋଲାସ୍ ଦ୍ୱିତୀୟ ଶାସନରୁ ହଟିବା ପରେ ସୋଭିଏଟ୍ ସଂଘ ଗଠନ ହୋଇଥିଲା। ହେଲେ ଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଥିଲା। ଭ୍ଲାଡିମିର ଲେନିନ୍ ରୁଷିଆ ଶାସନ ଭାର ସମ୍ଭାଳିଥିଲେ। ରୁଷିଆକୁ ଲାଗି ରହିଥିବା ରାଜ୍ୟଗୁଡ଼ିକୁ ସେ ଏକଜୁଟ କରିଥିଲେ। ପରେ ଅଫିସିଆଲି ସୋଭିଏଟ୍ ସଂଘ ସ୍ଥାପନ ହୋଇଥିଲା। ତେବେ ଲୋକଙ୍କୁ ନିଜ ଇଚ୍ଛାରେ ବଞ୍ଚିବା ସ୍ବାଧୀନତା ମିଳିପାରି ନ ଥିଲା। ରୁଷିଆରେ ଏକଚ୍ଛତ୍ରବାଦ ଶାସନର ସୂତ୍ରଧର ଥିଲେ ଯୋଶେଫ୍ ଷ୍ଟାଲିନ୍। ଦେଶର ସମସ୍ତ ନିଷ୍ପତ୍ତି କମ୍ୟୁନିଷ୍ଟ ପାର୍ଟି ହିଁ ନେଉଥିଲା। ୧୯୮୫ରେ ମିଖାଇଲ୍ ଗୋର୍ବାଚେଭ୍ ୟୁନିୟନ ଅଫ୍ ସୋଭିଏଟ୍ ସ୍ପେଶାଲିଷ୍ଟ୍ ରିପବ୍ଲିକ୍ସ (ୟୁଏସ୍ଏସ୍ଆର୍)ର ରାଷ୍ଟ୍ରପତି ହୋଇଥିଲେ। ସେହି ସମୟରେ ରୁଷିଆ ଗମ୍ଭୀର ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଥିଲା। ଲୋକଙ୍କୁ ସ୍ବାଧୀନତା ଦେବା ଏବଂ ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଗୋର୍ବାଚେଭ୍ ଅନେକ ପଦକ୍ଷେପ ନେଇଥିଲେ। ସେ ପେରେସ୍ତ୍ରୋଇକା (ପୁନର୍ଗଠନ) ଏବଂ ଗ୍ଲାସ୍ନୋଷ୍ଟ (ମୁକ୍ତ ଅର୍ଥନୀତି ଓ ରାଜନୀତି) ନୀତି ଆଣିଥିଲେ। ଷ୍ଟାଲିନଙ୍କ ଏକଚ୍ଛତ୍ରବାଦୀ ଶାସନ ଦେଖିଥିବା ଲୋକଙ୍କ ପାଇଁ ଏହା ବେଶ୍ ନୂଆ ଥିଲା। ଧୀରେଧୀରେ ସୋଭିଏଟ୍ବାସୀ ମନଖୋଲି ବଞ୍ଚିବା ଶିଖିବା ସହ, ବିଭିନ୍ନ କାରବାର, ସମ୍ପତ୍ତି କ୍ରୟବିକ୍ରୟ ଆଦି କରିପାରିଥିଲେ। ୧୯୯୦ରେ ପ୍ରଥମ କରି ମ୍ୟାକ୍ଡୋନାଲ୍ଡ ଷ୍ଟୋର ଖୋଲିଥିଲା। ପରେ ଆମେରିକାର ଅନେକ କମ୍ପାନୀ ରୁଷିଆ ମାର୍କେଟରେ ଏହାର ଶାଖା ଖୋଲିଥିଲେ। ବଜାର ଉପରେ ସରକାରଙ୍କ ନିୟନ୍ତ୍ରଣ କମିବାରେ ଲାଗିଲା ଏବଂ ଲୋକେ ସେମାନଙ୍କ ସାମଗ୍ରୀର ଉପଯୁକ୍ତ ମୂଲ୍ୟ ପାଇଲେ।
ଏପରି ନୀତିକୁ ତାଙ୍କ କମ୍ୟୁନିଷ୍ଟ ଦଳ ବିରୋଧ କରିଥିଲା। ଏପରି ପଲିସି ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା କୁହାଯାଇଥିଲା। ହେଲେ ସ୍ବାଧୀନତାର ସ୍ବାଦ ଚାଖି ସାରିଥିବା ବିଭିନ୍ନ ରାଜ୍ୟ ସୋଭିଏଟ୍ ସଂଘର କମ୍ୟୁନିଷ୍ଟ ଶାସନରୁ ଅଲଗା ହେବାକୁ ଚାହିଁଲେ। ବାଲିଷ୍ଟିକ୍ ରାଜ୍ୟ ଏଷ୍ଟୋନିଆ, ଲିଥୁଆନିଆ, ଲାଟ୍ଭିଆ ଆଦିରେ ଯୁବବର୍ଗ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏପରିକି ୧୯୯୧ ସେପ୍ଟେମ୍ବରରେ ଏହି ୩ ରାଜ୍ୟ ନିଜକୁ ସ୍ବାଧୀନ ଦେଶ ଘୋଷଣା କରିଦେଇଥିଲେ। ଧୀରେ ଧୀରେ ଆଜରବାଇଜାନ୍, ଜର୍ଜିଆ, ଆର୍ମେନିଆ, ୟୁକ୍ରେନ୍, ମାଲ୍ଡୋଭାରେ ବି ସ୍ବାଧୀନତା ଦାବିରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଲା। କ୍ରମେ ଗୋଟିଏ ପରେ ଗୋଟିଏ ରାଜ୍ୟ ନିଜକୁ ସ୍ବାଧୀନ ଘୋଷଣା କରିବାରେ ଲାଗିଲେ। ସୋଭିଏଟ୍ ସଂଘର ବିଲୟକୁ ରୋକିବା ପାଇଁ ଗୋର୍ବାଚେଭ୍ ବହୁ ଉଦ୍ୟମ କରିଥିଲେ ହେଁ ଏଥିରେ ସଫଳ ହୋଇପାରି ନ ଥିଲେ। ଶେଷରେ ସୋଭିଏଟ୍ ୟୁନିୟନ୍ ଭାଙ୍ଗି ରୁଷିଆ, ୟୁକ୍ରେନ୍, ଜର୍ଜିଆ, ବେଲାରୁଷ, ମାଲଡୋଭା, ଆର୍ମେନିଆ, ଆଜରବାଇଜାନ୍, କାଜାଖସ୍ତାନ, କିର୍ଗିଜସ୍ତାନ, ଉଜ୍ବେକିସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ, ଲିଥିୁଆନିଆ, ଲାଟ୍ଭିଆ, ଏଷ୍ଟୋନିଆ ଆଦି ଦେଶ ସ୍ବାଧୀନ ହୋଇଥିଲା। ୧୯୯୧ ଡିସେମ୍ବର ୨୫ରେ ଗୋର୍ବାଚେଭ୍ କ୍ରେମ୍ଲିନ୍ରୁ ସୋଭିଏଟ୍ ପତାକା ବଦଳାଇ ସେଠାରେ ରୁଷିଆର ନ୍ୟାଶନାଲ ଫ୍ଲାଗ୍ ଲଗାଇଥିଲେ। ସେତେବେଳେ ବର୍ତ୍ତମାନର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ୩୯ ବର୍ଷ ହୋଇଥିଲା। ସେ କେଜିଏଫ୍ରେ ଗୋଇନ୍ଦା ଏଜେଣ୍ଟ ଥିଲେ। ସୋଭିଏଟ୍ ସଂଘର ପତନ ପୁଟିନ୍ଙ୍କୁ ଉଚିତ ଲାଗି ନ ଥିଲା। ପୂର୍ବଜମାନେ ବହୁକଷ୍ଟରେ ଯାହା ବନାଇଥିଲେ, ତାହା ନଷ୍ଟ ହୋଇଗଲା ବୋଲି ସେତେବେଳେ ପୁଟିନ୍ କହିଥିଲେ।
ଶୀତଳଯୁଦ୍ଧର ଶେଷ
୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରେ ଆଫଗାନିସ୍ତାନ ସଙ୍କଟ ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ଦୁଇ ବିଶ୍ୱଶକ୍ତି ଆମେରିକା ଓ ସୋଭିଏଟ୍ ସଂଘ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ମିଖାଇଲ ଗୋର୍ବାଚେଭ୍ ସୋଭିଏଟ୍ ରାଷ୍ଟ୍ରପତି ଥିବାବେଳେ ଏହା ଅଧିକ ଘନେଇବାରେ ଲାଗିଲା। ସେହି ସମୟରେ ଗୋର୍ବାଚେଭ୍ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସହ ନିକଟତର ହୋଇ ସମ୍ପର୍କ ବଢ଼ାଇବା ପାଇଁ ଉଦ୍ୟମ କରିଥିଲେ। ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍ ଏବଂ ମାର୍ଗରେଟ୍ ଥାଚରଙ୍କ ସହ ସେ ଏକାଧିକ ଥର ଆଲୋଚନା କରିଥିଲେ। ଗୋର୍ବାଚେଭ୍ ଆମେରିକା ସହ ଅଣୁଅସ୍ତ୍ର ଚୁକ୍ତି ମଧ୍ୟ କରିଥିଲେ। ପରେ ଶୀତଳ ଯୁଦ୍ଧ ଶେଷ କରିବା ପାଇଁ ସେ ପରିସ୍ଥିତି ସୃଷ୍ଟି କରିଥିଲେ। ସୋଭିଏଟ ସଂଘ ବିଲୟ ହେବା ପରେ କୋଲ୍ଡ ଓ୍ବାର ଶେଷ ହୋଇଯାଇଥିଲା। କାରଣ ପୂରା ବିଶ୍ୱ ଏକଧ୍ରୁବୀୟ ହେବା ସହ ଆମେରିକା ଏକମାତ୍ର ସୁପରପାଓ୍ବାର ଦେଶ ହୋଇ ରହିଥିଲା। ସୋଭିଏଟ୍ ସଂଘରୁ ଅଲଗା ହେବା ପରେ ରୁଷିଆକୁ ଛିଡ଼ା ହେବା ପାଇଁ ଅନେକ ବର୍ଷ ଲାଗିଯାଇଥିଲା। ଭ୍ଲାଡିମିର ପୁଟିନ୍ଙ୍କ ଶାସନରେ ରୁଷିଆ ପୁଣି ଏକ ମହାଶକ୍ତି ହୋଇ ଉଭା ହେଲା। ଫଳରେ ଏବେ ପୁଣି ଆମେରିକା ଓ ରୁଷିଆକୁ ନେଇ ବିଶ୍ୱ ଦୁଇଭାଗ ହୋଇଛି।