କର୍ଲାମୁଣ୍ଡା,୨୫ା୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତର ତେଲିସରାବାହିଲି ଗ୍ରାମରେ ରବିବାର ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାଯାଇଛି। ତେବେ ମୃତକାଙ୍କ ପରିବାର ଏହା ଆତ୍ମହତ୍ୟା ନୁହେଁ, ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି l
ସୂଚନାନୁଯାୟୀ, ଭଟାପଲା ଲକ୍ଷ୍ମୀପଡ଼ାର ସ୍ବର୍ଗତ ଯୁଧିଷ୍ଠିର ସାହୁଙ୍କ ଝିଅ କେତକୀ ଗତ ଜାନୁୟାରୀ ୧୫ରେ ତେଲିସରାବାହିଲିର ରାଧେ ସାହୁଙ୍କ ପୁଅ ଆନନ୍ଦଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର ମାସକ ପରେ ଶାଶୁଘର ଲୋକେ ତାଙ୍କୁ ନିର୍ଯାତନା ଦେଉଥିବା କେତକୀଙ୍କ କାକା ଅପେଶ୍ୱର ସାହୁ ଅଭିଯୋଗ କରିଛନ୍ତି। ତେଣୁ ତାକୁ ମାରି ଦିଆଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ସେ ଏତଲାରେ ଦର୍ଶାଇଛନ୍ତି। ତେବେ କେତକୀଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ତାଙ୍କ ମୃତ ଶରୀର ଏକ ପଲଙ୍କ ଉପରେ ରହିଥିବା ପରିବାର ପକ୍ଷରୁ କୁହାଯାଇଛି। ଖବର ଲେଖା ପର୍ଯ୍ୟନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। କେତକୀ ଗର୍ଭବତୀ ଥିବା ସୂଚନା ମିଳିଛି l ଏହାର ନିରପେକ୍ଷ ତଦନ୍ତ ପାଇଁ ଦାବି ହୋଇଛି।