ଇଟାଭାଟିରେ ପୋଡ଼ି ହୋଇ ମହିଳା ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ମୋହନା,୫ା୮(ସୁକାନ୍ତ କୁମାର ରଥ): ଗଜପତି ଜିଲା ଅଡ଼ବା ଥାନା ଡେଙ୍ଗାସଖାଲ ପଞ୍ଚାୟତ ଅନ୍ତର୍ଗତ ରାଇଜୁକା ଗ୍ରାମରେ ନିଆଁରେ ପୋଡ଼ି ହୋଇ ମହିଳାଙ୍କ ମୃତ୍ୟୁ ଘଟଣା ନୂଆମୋଡ଼ ନେଇଛି। ଏହା ଦୁର୍ଘଟଣା ନୁହେଁ ବରଂ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିବା ସହ ଏନେଇ ମୃତ ସୁପ୍ରିୟା ବସ୍ତରାୟଙ୍କ ସ୍ବାମୀ ଆନନ୍ଦ ବସ୍ତରାୟଙ୍କ ବିରୋଧରେ ଅଡ଼ବା ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି ମୃତ ସୁପ୍ରିୟାଙ୍କ ବାପା ସଦାନନ୍ଦ ନାୟକ।

ସୂଚନାଯୋଗ୍ୟ, ଜୁନ୍‌ ୧୧ ତାରିଖରେ ଇଟାଭାଟିରେ ନିଆଁ ଲଗାଉଥିବା ବେଳେ ନିଆଁରେ ପୋଡ଼ି ହୋଇ ରାଇଜୁକା ଗାଁର ଆନନ୍ଦ ବସ୍ତରାୟଙ୍କ ସ୍ତ୍ରୀ ସୁପ୍ରିୟା ବସ୍ତରାୟ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ମୋହନା ଏବଂ ପରେ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଗତ ଜୁଲାଇ ୨୭ରେ ଚିକିତ୍ସାଧୀନ ଅବସ୍ଥାରେ ସୁପ୍ରିୟାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ନିଜ ଧର୍ମ ଅନୁଯାୟୀ ମୃତଦେହକୁ କବର ଦିଆଯାଇଥିଲା। କିନ୍ତୁ ଘଟଣାର ସପ୍ତାହ ପରେ ଝିଅକୁ ହତ୍ୟା କରାଯାଇଥିବା ସହ ଅନେକ ସମୟରେ ସ୍ବାମୀ ଆନନ୍ଦ ସୁପ୍ରିୟାକୁ ନିର୍ଯାତନା ଦେଉଥିବା ଅଡ଼ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ସୁପ୍ରିୟାଙ୍କ ବାପା।
ଅଭିଯୋଗକୁ ଭିତ୍ତିକରି ପୋଲିସ ଡିଏସ୍‌ପି କୈଳାସ ଚନ୍ଦ୍ର ବୁରୁଦାଙ୍କ ଏବଂ ମୋହନା ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇଙ୍କ ଉପସ୍ଥିତିରେ ଅଡ଼ବା ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ରାଇଜୁକା ଗ୍ରାମରେ ପହଞ୍ଚି ଶ୍ମଶାନରୁ ସୁପ୍ରିୟାଙ୍କ ପୋତା ଯାଇଥିବା ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ପଠାଇଛି। ମୃତ ସୁପ୍ରିୟାଙ୍କ ସ୍ବାମୀ ଆନନ୍ଦ ବସ୍ତରାୟଙ୍କୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ କରୁଥିବା ଅଡ଼ବା ଥାନାଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା କହିଛନ୍ତି।

Share