ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ: ଷ୍ଟ୍ରେଚରରେ ମୃତଦେହକୁ ୨ କିମି ବୋହିଲେ ପରିବାରଲୋକେ

ମାଲକାନଗିରି,୨୯।୭(ସ୍ବ.ପ୍ର.): ହଜିଗଲା ମାନବିକତା,ମୃତ୍ୟୁ ପରେ ମଧ୍ୟ ମିଳିଲାନାହିଁ ସମ୍ମାନ। ଶେଷରେ ମେଡିକାଲ ଷ୍ଟ୍ରେଚରରେ ପରିବାରଲୋକେ ମୃତଦେହକୁକୁ ବୋହି ନେଲେ ଘରକୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ପଡିଆ ବ୍ଲକ ସଦର ମହକୁମାରେ। ପଡିଆ ବ୍ଲକ ଅନ୍ତର୍ଗତ ମୁସାକୀଗୁଡା ଗ୍ରାମର ଜଣେ ବୃଦ୍ଧ ଅସୁସ୍ଥ ହେବାରୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ମୃତ ଦେହକୁ ନେବା ପାଇଁ ପରିବାରଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ ମଧ୍ୟ ସେମାନେ ଆମ୍ବୁଲାନ୍ସ ଖରାପ ଦର୍ଶାଇ ଥିଲେ। ଏପଟେ ପରିବାରଲୋକଙ୍କ ଆର୍ଥିକ ଅବସ୍ଥା ଖରାପ ଥିବାରୁ ଗାଡି ଭଡା କରିପାରି ନ ଥିଲେ। ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ଷ୍ଟେଚରରେ ମୃତଦେହକୁ ୨ କିଲୋମିଟର କାନ୍ଧରେ ବୋହି ଥିଲେ। ଏହି ସମୟରେ ଜଣେ ମହିଳା ଶବକୁ କାନ୍ଧରେ ବୋହିବା ସହ ନିଜ କୋଳରେ ଛୋଟ ଛୁଆକୁ ଧରି ଦୀର୍ଘ୨ କିଲୋମିଟର ଚାଲିଥିବା ଦେଖିବାକୁ ମିଳିଛି। ସହର ମଧ୍ୟ ଦେଇ ଏଭଳି ହୃଦୟ ବିଦାରକ ଦୃଶ୍ୟକୁ ଲୋକେ ଦେଖୁଥିଲେ ମଧ୍ୟ କେହିଜଣେ ବି ସହଯୋଗ ର ହାତ ବଢେଇ ନ ଥିବାକୁ ଚର୍ଚ୍ଚା ହେଉଛି।

Share