ଛୁଇଁଲେନି ପରିଜନ, ମୃତଦେହ କାନ୍ଧେଇଲେ ଖବରଦାତା

ବାଳକାଟୀ,୧୦ା୫(ଡି.ଏନ୍‌.ଏ.):କରୋନା ସଂକ୍ରମଣ ଭୟରେ ବନ୍ଧୁ ପରିଜନ କେହି ବି ମୃତଦେହ ଉଠାଇ ନ ଥିଲେ। ଏପରିକି ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସହଯୋଗ ମିଳିଲା ନାହିଁ, ଶେଷରେ କେତେଜଣ ଖବରଦାତା ଖବର ପାଇ ଆସି ମୃତଦେହକୁ କାନ୍ଧେଇ ଶ୍ମଶାନ ନେଇ ସତ୍କାର କରି ମାନବିକତାର ପରିଚୟ ଦେଖାଇଛନ୍ତି। ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ବାଳକାଟୀରେ ରବିବାର ଦେଖିବାକୁ ମିଳିଛି। ବାଳକାଟୀ ଫାଣ୍ଡି ରଙ୍ଗଣି ସାହି ଗ୍ରାମର ଶତାୟୁ ବୃଦ୍ଧା ତଅପୋଇ ବେହେରାଙ୍କ ମୃତ୍ୟୁ ଘଟିଥିଲା। ପରିବାରରେ ପୁଅ, ବୋହୂ ଓ ନାତି କରୋନା ଆକ୍ରାନ୍ତ ହୋଇଥିବାବେଳେ ଗତ କିଛିଦିନ ହେବ ତଅପୋଇଙ୍କ ଥଣ୍ଡା, ଜ୍ୱର ଲାଗିରହିଥିଲା। ତେବେ ରବିବାର ଅଧିକ ଅସୁସ୍ଥ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ତଅପୋଇ କରୋନାରେ ମୃତ୍ୟୁବରଣ କରିଥିବା ଆଶଙ୍କା କରି ସଂକ୍ରମଣ ଭୟରେ ବନ୍ଧୁ, ପରିଜନ, ଜ୍ଞାତିକୁଟୁମ୍ବ କେହି ବି କାନ୍ଧେଇଲେନି କି ପାଖକୁ ମଧ୍ୟ ଗଲେ ନାହିଁ। ଦୀର୍ଘ ସମୟ ଧରି ମୃତଦେହ ଘରେ ପଡ଼ିରହିଥିଲା। ଘଟଣା ସମ୍ପର୍କରେ ସୂଚନାପାଇ ବାଲିଅନ୍ତା ଅଞ୍ଚଳର ଖବରଦାତା ନିରଞ୍ଜନ ସେନାପତି, ପୀତବାସ ଦାଶ,ବୁଟୁ ମହାପାତ୍ର, ଗଗନ ଭୋଇ, ବିଭୂତି ଭୂଷଣ ପ୍ରଧାନ, ଜିତେନ୍ଦ୍ର ବେଉରା, ଆଶୁତୋଷ ଚୌଧୁରୀ ପହଞ୍ଚତ୍ ସତ୍କାର ପାଇଁ ଆଗେଇ ଆସିଥିଲେ। ସେମାନେ ପିପିଇ କିଟ୍‌ ପିନ୍ଧି ତଅପୋଇଙ୍କ ମୃତଦେହକୁ ଘରୁ ଉଠାଇ ୨କି.ମି. ଦୂରରେ ଥିବା ଶ୍ମଶାନକୁ ନେଇ ସତ୍କାର କରିଥିଲେ। ମୁଖ୍ୟମନ୍ତ୍ରୀ ଖବରଦାତାଙ୍କୁ କରୋନା ଯୋଦ୍ଧା ଘୋଷଣା କରିଥିବାବେଳେ ସେମାନେ କେବଳ ଖବର ସଂଗ୍ରହରେ ସୀମିତ ନ ରହି ବିପଦବେଳର ବନ୍ଧୁ ସାଜିଛନ୍ତି।

Share