ପାଣିରେ ଭାସିଗଲା ଚାଷୀଙ୍କ ଆଶା

ଜଳେଶ୍ୱର, ୨୫ା୮(ଡି.ଏନ.ଏ.): ସୁବର୍ଣ୍ଣରେଖା ନଦୀର କୂଳେ ଜଳେଶ୍ୱର ବ୍ଲକର ୧୪ଟି ପଞ୍ଚାୟତର ହଜାର ହଜାର ଚାଷୀ ଉପୁଜାଇଥିବା ପରିବା ଚାଷ ବନ୍ୟାପାଣିରେ ବୁଡି ନଷ୍ଟ ହୋଇଛି । ଆଗାମୀ ଦିନ ପାଇଁ ତଳି ପଡିଥିବା କୋବି, ବାଇଗଣ, ବିନ୍‌ସ୍‌, ଟମାଟୋ ପଚି ସଢି ନଷ୍ଟ ହୋଇଛି । ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ଲାଗି ଆଶା ରଖିଥିବା ଚାଷୀ ଏବେ ମୁଣ୍ଡରେ ହାତ ମାରି ବସିଛି । ଜଳେଶ୍ୱର ବ୍ଲକର ରାୟାଁରାମଚନ୍ଦ୍ରପୁର ପଞ୍ଚାୟତର ୩ଟି ଗାଁର ୬୦ହେକ୍ଟର, କୋଟସାହି ପଞ୍ଚାୟତର ୨ଟି ଗାଁର ୧୫ ହେକ୍ଟର, ପାଇକସିଦା ପଞ୍ଚାୟତର ୫ଟି ଗାଁର ୪୦ ହେକ୍ଟର, ପଶ୍ଚିମବାର୍ଡ ପଞ୍ଚାୟତର ୩ଟି ଗାଁର ୩୫ ହେକ୍ଟର, ବାଇଗଣବାଡିଆ ପଞ୍ଚାୟତର ୫ଟି ଗାଁର ୪୦ ହେକ୍ଟର, ଝାଡପିମ୍ପଳ ପଞ୍ଚାୟତର ୩୨ଟି ଗାଁ ୨୦ ହେକ୍ଟର, ମହମ୍ମଦନଗର ପଞ୍ଚାୟତର ୪ଟି ଗାଁର ୬୦ହେକ୍ଟର, ରାଜପୁର ପଞ୍ଚାୟତର ୨ଟି ଗାଁର ୧୦ହେକ୍ଟର, ଶିଖରପୁର ପଞ୍ଚାୟତର ୬ଟି ଗାଁର ୪୦ହେକ୍ଟର, ମାକିଡିଆ ପଞ୍ଚାୟତର ୩ଟି ଗାଁର ୭୦ହେକ୍ଟର, ଖୁଦିଆମାଝିସାହି ପଞ୍ଚାୟତର ୨ଟି ଗାଁରେ ୨୦ହେକ୍ଟର, ଗଡସାହିବାଲିଆପାଳ ପଞ୍ଚାୟତର ସେହି ଗାଁରେ ୪୩ହେକ୍ଟର, ଦକ୍ଷିଣପ୍ରହରାଜପୁର ପଞ୍ଚାୟତର ୨ଟି ଗାଁରେ ୧୫ହେକ୍ଟର, ଓଲମରା ପଞ୍ଚାୟତର ୨ଟି ଗାଁରେ ୧୦ହେକ୍ଟର ପରିବାଚାଷ ପ୍ରଭାବିତ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ଜଳେଶ୍ୱର ବ୍ଳକର ୨୮ ପଞ୍ଚାୟତ ଓ ପୌରପାଳିକାର ୧୬୪ଟି ଗାଁ ଜଳମଗ୍ନ ହୋଇଥିବା ବେଳେ ୨୫୦ ହେକ୍ଟର ଧାନଜମି, ୨୦୦ ହେକ୍ଟର ଝୋଟଚାଷ ଓ ୫୫୦ ହେକ୍ଟର ପରିବାଚାଷ କ୍ଷତିଗ୍ରସ୍ତ ହୋଇଥିବା କୃଷିବିଭାଗର ପ୍ରାଥମିକ ଆକଳନରୁ ଜଣାପଡିଛି ।
ଏହି ଗାଁ ଗୁଡିକରେ ହଜାର ହଜାର ଚାଷୀ ଜୁନ୍‌, ଜୁଲାଇରେ ଭେଣ୍ଡି, ଜହ୍ନି, କାକୁଡି, କଲରା, ଝୁଡଙ୍ଗ, ପୋଟଳ, କୁନ୍ଦୁରୀ ଆଦି ଚାଷ କରିଥିବା ବେଳେ ଅମଳର କିଛିଦିନ ପରେ ସୁବର୍ଣ୍ଣରେଖା ବନ୍ୟାପାଣିରେ ବ୍ୟାପକ କ୍ଷତି ଘଟିଛି। ଏହି ଲୋକମାନେ କେବଳ ପରିବା ଚାଷ ଉପରେ ପରିବାର ପ୍ରତିପୋଷଣ କରିଥାନ୍ତି। ଏକତାଳି ଗାଁର ସୀତାରାମ ସାହୁ ଚଳିତବର୍ଷ ଖରିଫ ଋତୁରେ ୩ ଏକର ଜମିରେ ୫୦ହଜାର ଟଙ୍କା ଖର୍ଚ୍ଚ କରି ଭେଣ୍ଡି, ଜହ୍ନି, କାକୁଡି, ପୋଟଳ ଓ ଝୁଡଙ୍ଗ ଚାଷ କରିଥିଲେ ।
ଏଥିରୁ ସେ ଦେଢଲକ୍ଷ ଟଙ୍କା ରୋଜଗାର କରିବେ ବୋଲି ଆଶା କରିଥିଲେ । ମଜୁରୀ ବ୍ୟତିତ ସେ ନିଜେ, ତାଙ୍କ ବାପା ଓ ସ୍ତ୍ରୀ ବିଲରେ ଖଟୁଥିବା ବେଳେ ଏବେ ଆଗାମୀ ଦିନରେ ୬ ପ୍ରାଣୀ କୁଟୁମ୍ବ କିପରି ଚଳିବେ ସେଥିପାଇଁ ଚିନ୍ତାରେ ରହିଛନ୍ତି । ସେହି ଗାଁର ଉମେଶ ପାଳ ବିଭିନ୍ନ ଚାଷ କରିଥିବା ବେଳେ ଏବେ ଭବିଷ୍ୟତରେ କିପରି ଚଳିବେ ସେଥିଲାଗି ତାଙ୍କୁ ଚିନ୍ତା ଘାରିଛି । ଗୋବର୍ଦ୍ଧନପୁର ଗାଁର ତପନ ଭୂୟାଁ, ମାକିଡିଆ ଗାଁର ମଞ୍ଜୁଲତା ବେହେରା ଭେଣ୍ଡି, କଖାରୁ ପୋଟଳ, କୁନ୍ଦୁରି ଉପତ୍ନ୍ନ କରି ପଶ୍ଚିମବଂଗର ଦାନ୍ତୁନ ବଜାରରେ ବିକ୍ରି କରି ଆସୁଥିବା ବେଳେ ୫୦ ହଜାର ଟଙ୍କା ପରିବାଚାଷରୁ ଲାଭ କରିବେ ବୋଲି ଆଶା ବାନ୍ଧିଥିବା ବେଳେ ତାହା ପାଣି ଫୋଟକା ଭଳି ମିଳାଇ ଯାଇଛି । ବାଇଗଣ ବାଡିଆ ଗାଁର ରବୀନ୍ଦ୍ର ପ୍ରଧାନ, ସେକ ସରାଇ ଗାଁର ରାମଚନ୍ଦ୍ର ଜେନା, ନିରଞ୍ଜନ ତରାଇ, ଅନୀଲ ମହାନ୍ତି, କୁଆଁରପୁର ଗାଁ ରାଧାକାନ୍ତ ଘୋଷ, ତୋଟାପଡାର ପ୍ରବିର ଗିରି, ଗଡସାହିର ଧନଞ୍ଜୟ ଗିରି ପ୍ରମୁଖ ରବିଚାଷ କରି ସର୍ବସ୍ବ ହରାଇଥିବା କହିଛନ୍ତି ।