ତାଳସଜ ବେପାରରେ ଚଳୁଛି ପରିବାର

ସିମୁଳିଆ,୧୭।୫-ମହାମାରୀ କରୋନା ସମୟରେ କ୍ଷୁଦ୍ର ବ୍ୟବସାୟୀମାନେ ଜୀବିକା ହରାଇ ନିରାଶ ହୋଇପଡିଥିବା ବେଳେ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଗୌଡ଼ଦିଆ ଅଞ୍ଚଳର ୬୪ବର୍ଷୀୟ ବ୍ରଜ ଶିଅଳ ଏବେ ରାସ୍ତାକଡରେ ତାଳସଜ ବିକି ବେଶ୍‌ ଦୁଇ ପଇସା ରୋଜଗାର କରୁଛନ୍ତି। ଏଭଳି ପ୍ରତିକୂଳ ପରିସ୍ଥିତିରେ ରୋଜଗାର ହେଉଥିବା ସୀମିତ ଅର୍ଥରେ ତାଙ୍କ ପରିବାର କଷ୍ଟେମଷ୍ଟେ ଚଳିଯାଉଛି। ସେ ନିଜେ ଗଛ ଚଢି ତାଳସଜ କାଟନ୍ତି। ଏଥିରୁ ସେ ଦୈନିକ ପ୍ରାୟ ଦେଢ଼ଶହରୁ ଦୁଇଶହ ଟଙ୍କା ରୋଜଗାର କରି ଗଛ ମାଲିକଙ୍କୁ ତାଙ୍କ ପ୍ରାପ୍ୟ ଦେବା ପରେ ସେ ମାର୍କୋଣା ଷ୍ଟେଶନ ବଜାର ଓ ଘରେ ତାଳସଜ ବିକ୍ରି କରନ୍ତି। ପୂର୍ବରୁ ୧୦ ପଇସାରେ ୪ଟା କୋଷା(ପିସ୍‌) ବିକ୍ରି କରାଯାଉଥିବା ବେଳେ ଏବେ ଦରଦାମ ବୃଦ୍ଧି ଯୋଗୁ ସେ ୧୦ଟଙ୍କାରେ ୫ଟି କୋଷା ବିକ୍ରି କରୁଛନ୍ତି। ତେବେ ସିଜିନ ଫଳ ଦେହ ପାଇଁ ହିତ। ଦିନକୁ ଦିନ ଗଛ ସଂଖ୍ୟା କମି ଚାଲିଥିବାରୁ ଆଗକୁ ଏହା ସ୍ବପ୍ନ ହେବ ବୋଲି ସେ କୁହନ୍ତି।
ତାଙ୍କ ୮ଜଣ ଭାଇଭଉଣୀ ମଧ୍ୟରେ ବ୍ରଜ ହେଉଛନ୍ତି ସବା ବଡ଼। ପରିବାର ଚଳାଇବା ପାଇଁ ସେ ୭ମ ଶ୍ରେଣୀରୁ ପାଠପଢ଼ାରେ ଡୋରି ବାନ୍ଧି ସେ ବାପାଙ୍କଠାରୁ ତାଳ ଗଛ ଓ ନଡ଼ିଆ ଗଛ ଚଢ଼ିବାର କୌଶଳ ଶିକ୍ଷା କରିଥିଲେ। ଲୋକଙ୍କ ଡାକରାରେ ସେ ନଡ଼ିଆ ଓ ତାଳ ଗଛର ବାହୁଙ୍ଗା ହାଣି ସଫା କରିବା ସହିତ ତାଳ ଓ ନଡ଼ିଆ ବିଛାଇବା କାମ କରନ୍ତି। ଏଥିପାଇଁ ନଡ଼ିଆ ଗଛ ପ୍ରତି ୫୦ ଓ ତାଳ ଗଛ ପ୍ରତି ୮୦ରୁ ୧୦୦ ଟଙ୍କା ପାରିଶ୍ରମିକ ନିଅନ୍ତି। ଏପ୍ରିଲ ଓ ମେ’ ଦୁଇମାସ ତାଳସଜ ବେପାର ହୁଏ। ଏହି ଦୁଇ ମାସରେ ତାଳ ସଜରୁ ସେ ପ୍ରାୟ ୧୦ହଜାର ଟଙ୍କା ଆୟ କରନ୍ତି। ବର୍ଷାଋତୁ ବ୍ୟତୀତ ଅବଶିଷ୍ଟ ଦିନରେ ସେ ଲୋକଙ୍କ ଡାକରା ଅନୁସାରେ ଯାଆନ୍ତି। ନିଜର ଏକର ଏକର ଜମିରେ ଧାନ ଚାଷ ମଧ୍ୟ କରନ୍ତି। ସୀମିତ ରୋଜଗାର ମଧ୍ୟରେ ନିଜର ୪ ଝିଅ ଓ ଜଣେ ପୁଅଙ୍କୁ ସେ ପାଠ ପଢ଼ାଇଛନ୍ତି। ପ୍ରତ୍ୟେକ ଦିନ ଗଛ ଚଢୁଥିବାରୁ ସୁସ୍ଥ ଅଛନ୍ତି ବୋଲି କୁହନ୍ତି ବ୍ରଜ।