Advertisement

ଗୋଡ଼ରେ ଘା’ ହେବାରୁ ଧାନବିଲରେ ବୃଦ୍ଧାଙ୍କୁ ଛାଡ଼ିଦେଲେ ପରିବାର ଲୋକେ

ବରଗଡ଼,୨୩ା୧୨(ପ୍ରେମାନନ୍ଦ ଖମାରୀ):ଅନ୍ଧବିଶ୍ୱାସ ଏବେ ବି ବଞ୍ଚିରହିଛି। ଆଉ ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷର ମାନବିକତା ମଧ୍ୟ ମରିଯାଉଛି। ବରଗଡ଼ ଜିଲା ଭଟଲି ବ୍ଲକ ଅଞ୍ଚଳରେ ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ବାମଗୋଡ଼ ପାଦରେ ଘା’ ହେବାରୁ ପରିବାର ଲୋକେ ତାଙ୍କୁ ଧାନବିଲରେ ଏ ହାଡ଼ଭଙ୍ଗା ଶୀତରେ ପଲିଥିନ ତଳେ ଛାଡ଼ି ଦେଇଥିଲେ। ବୃଦ୍ଧା ଜଣକ ଏହି ପଲିଥିନ୍‌ ତଳେ ୫ ରାତି କଟାଇବା ପରେ ସୂଚନା ପାଇ ବରଗଡ଼ର ଏକ ସାମାଜିକ ଅନୁଷ୍ଠାନର ସ୍ବେଚ୍ଛାସେବୀମାନେ ତାଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ସୂଚନାନୁଯାୟୀ, ବୃଦ୍ଧାଙ୍କ ଆତ୍ମୀୟ ସ୍ବଜନ ଅଛନ୍ତି। ବୃଦ୍ଧାଙ୍କ ବାମଗୋଡ଼ ପାଦରେ ଏକ ଘା’ ହୋଇଥିଲା ଏବଂ ତାହା ଭଲ ହୋଇ ନ ଥିଲା । ତେବେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ବଦଳରେ ପରିବାର ଲୋକେ ବୃଦ୍ଧାଙ୍କୁ ଭଟଲି ବ୍ଲକ ନୂଆଗଡ଼ ରାସ୍ତାକଡ଼ରେ ରହିଥିବା ଏକ ଧାନବିଲରେ ପଲିଥିନ ଟାଣି ଛାଡ଼ି ଚାଲି ଯାଇଥିଲେ। ଆଖପାଖ ଲୋକ କିମ୍ବା କେହି ଆତ୍ମୀୟ ସ୍ବଜନ ଖାଇବାକୁ ଦେଲେ ସେ ଖାଉଥିଲେ, ନଚେତ୍‌ ଭୋକ ଉପାସରେ ରହୁଥିଲେ। ଏହା ଜାଣିବା ପରେ ଉକ୍ତ ସାମାଜିକ ଅନୁଷ୍ଠାନର ବିକାଶ ଅଗ୍ରଓ୍ବାଲ, ଜି. ରମେଶ, ଶେଷଦେବ ପ୍ରଧାନ ପ୍ରମୁଖ ପ୍ରଥମେ ଭଟଲି ପୋଲିସକୁ ଖବର ଦେଇଥିଲେ। ଏହାପରେ ଆମ୍ବୁଲାନ୍ସକୁ ଡାକି ସେହି ଧାନବିଲରେ ଥିବା ପଲିଥିନ ତଳୁ ବୃଦ୍ଧାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share