ଉଦ୍ଧାର ମା’ ଝିଅଙ୍କୁ ଭେଟିଲେ ପରିବାର ଲୋକେ

ସୁନ୍ଦରଗଡ଼,୧୦ା୧୦(ଜୟ ନାରାୟଣ ମେଣ୍ଡୁଳି):ସୁନ୍ଦରଗଡ଼ ଇବ୍‌ ନଦୀ ପୋଲ ଉପରୁ ଶୁକ୍ରବାର ଉଦ୍ଧାର ହୋଇ ସ୍ଥାନୀୟ ଆସ୍ଥା ଗୃହରେ ଥିବା ମା’ ଝିଅଙ୍କ ପରିଚୟ ପାଇଛି ପୋଲିସ। ସେମାନଙ୍କ ଘର ଛତିଶଗଡ଼ ଯଶପୁର ଜିଲା ତୁମଲା ଥାନା ଅନ୍ତର୍ଗତ ଖାରିବାହାଲ ଗ୍ରାମରେ ବୋଲି ସଦର ଏସ୍‌ଡିପିଓ ହିମାଂଶୁ ବେହେରା ସୂଚନା ଦେଇଛନ୍ତି। ସୋମବାର ପରିବାର ଲୋକ ଆସି ମା’ ଝିଅଙ୍କୁ ଆସ୍ଥା ଗୃହରେ ଭେଟିଛନ୍ତି। ଗତ କିଛି ବର୍ଷ ହେବ ସେମାନଙ୍କ ମାନସିକ ସ୍ଥିତି ଠକ୍‌ ନ ଥିବା ଓ ସେମାନେ ବୁଧବାର ଘରୁ ବାହାରି ଆଉ ଘରକୁ ଫେରି ନ ଥିବା ଭେଟିବାକୁ ଆସିଥିବା ମହିଳାଙ୍କ ଜଣେ ଝିଅ ଓ ଯାଆ କହିଛନ୍ତି। ତାଙ୍କ ସହ ଯୌନ ନିର୍ଯାତନା ହୋଇଥିବା ନେଇ ବଧିବଦ୍ଧଭାବେ କୌଣସି ଅଭିଯୋଗ ହୋଇ ନ ଥିବା ପୋଲିସ କହିଛି। ତଥାପି ପୋଲିସ ଉଭୟଙ୍କ ଡାକ୍ତରୀ ମାଇନା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରିବ ବୋଲି ସଦର ଏସ୍‌ଡିପିଓ ବେହେରା କହିଛନ୍ତି। ଡାକ୍ତର ଓ ମନସ୍ତତ୍ୱବିତ୍‌ଙ୍କୁ ନେଇ ସେମାନଙ୍କୁ କାଉନସେଲିଂ କରାଯାଉଛି। ସ୍ବାସ୍ଥ୍ୟ ଅବସ୍ଥା ଠିକ୍‌ ରହିଛି। ହେଲେ ମାନସିକ ସ୍ତରରେ ସେମାନେ ଠିକ୍‌ ନ ଥିବା ଜଣାପଡ଼ିଛି। ସ୍ବାଭାବିକ ଅବସ୍ଥାକୁ ଆସିଲେ ପ୍ରକୃତ ଘଟଣା ଜଣାପଡିବ। ଅପରପକ୍ଷରେ ଏହି ମହିଳାଙ୍କ ୩ ପୁଅ,୩ ଝିଅ ଥିବା ବେଳେ ସ୍ବାମୀ ନାହାନ୍ତି ବୋଲି ଆସ୍ଥା ଗୃହ ସମ୍ପାଦିକା ସ୍ନେହଲତା ପଟେଲ କହିଛନ୍ତି। ୨ମହିଳାଙ୍କ ମାନସିକ ସ୍ଥିତି ଠିକ ନ ଥିବାରୁ ସେମାନେ କେତେବେଳେ କ’ଣ କହୁଛନ୍ତି ତାଳମେଳ ରହୁନାହିଁ। ସୂଚନା ଅନୁଯାୟୀ, ଶୁକ୍ରବାର ସୁନ୍ଦରଗଡ ଉପକଣ୍ଠ କଲେଜ ବାଇପାସ ଇବ ନଦୀ ପୋଲ ଉପରେ ୨ ବିବସ୍ତ୍ର ମହିଳା ଚାଲି ଚାଲି ଯାଉଥିଲେ। ଶହ ଶହ ଯାତ୍ରୀ ସେଇ ରାସ୍ତା ଦେଇ ଯାଉଥିଲେ ମଧ୍ୟ କେହି ଜଣେ ଏଭଳି ଲଜ୍ଜିତ ଦୃଶ୍ୟ ପାଇଁ ଦୟା ଦେଖାଇ ନ ଥିଲେ। ନିଜ ଘରୁ ଆଦିବାସୀ ମଞ୍ଚ ଘେରାଉ କାର୍ଯ୍ୟକ୍ରମକୁ ଯାଉଥିବା ବିଧାୟିକା କୁସୁମ ଟେଟେ ଏହି ୨ ମହିଳାଙ୍କୁ ଦେଖି ଗାଡ଼ି ଅଟକାଇଥିଲେ। ଆଦିବାସୀ ନେତାଙ୍କୁ ସମ୍ବର୍ଦ୍ଧିତ କରିବାକୁ ସାଙ୍ଗରେ ନେଉଥିବା ଗାମୁଛାରେ ୨ ମହିଳାଙ୍କୁ ଘୋଡ଼ାଇ ଦେଇଥିଲେ। ପରେ ସଦର ଥାନା ପୋଲିସ ସହାୟତାରେ ସେମାନଙ୍କୁ ଆସ୍ଥା ଗୃହକୁ ପଠାଇଥିଲେ।