୧୯୧୯ରୁ ଆଜି ପର୍ଯ୍ୟନ୍ତ ଦିଲ୍ଲୀର ସଭରଓ୍ବାଲ ପରିବାରର ୫ ପିଢି ଡାକ୍ତରୀକୁ ନିଜର ପେସା କରି ଆସିଛନ୍ତି। ଫଳରେ ଏବେ ଏହି ପରିବାରରେ ୧୪୦ରୁ ଉର୍ଦ୍ଧ୍ୱ ସଦସ୍ୟ ଡାକ୍ତରୀ ପେସାରେ ଅଛନ୍ତି। ୧୯୧୯ରେ ଲାଲା ଜୀବନମାଲ ସଭରଓ୍ବାଲ ଯେକି ଲାହୋରରେ ଷ୍ଟେସନ ମାଷ୍ଟର ଥିଲେ ସେ ଗାନ୍ଧିଜୀଙ୍କ ବାଣୀରେ ବେଶ୍ ପ୍ରଭାବିତ ହୋଇଥିଲେ। ଗାନ୍ଧିଜୀ କହିଥିଲେ ଦେଶର ଉନ୍ନତି ପାଇଁ ଶିକ୍ଷା ଓ ସ୍ବାସ୍ଥ୍ୟ ନିହାତି ଜରୁରୀ। ସେଥିପାଇଁ ସେ ଏକ ଡାକ୍ତରଖାନା ଖୋଲିବାକୁ ଚିନ୍ତା କଲେ। ଆଉ ସେ ପାକିସ୍ତାନର ଜଲାଲପୁରରେ ଏକ ହସ୍ପଟାଲ କଲେ ମଧ୍ୟ। ତା’ସହ ନିଜର ଚାରି ପୁଅକୁ ଡାକ୍ତର କରିବାକୁ ନିଷ୍ପତି ନେଲେ। ସ୍ବାଧୀନତା ପରେ ସେ ଦିଲ୍ଲୀ ଚାଲି ଆସିଲେ। ଦିଲ୍ଲୀରେ ବି ଏକ ଡାକ୍ତରଖାନା କଲେ, ଯାହାର ନାମ ଦେଲେ ‘ଜିଓ୍ବନମଲ ହସ୍ପିଟାଲ’। ଏହାପରେ ପରିବାରର ପ୍ରଥମ ଡାକ୍ତର ତାଙ୍କ ବଡ଼ ପୁଅ ବୋଧରାଜ ହେଲେ। ଆଉ ପରପିଢିର ସମସ୍ତେ ସମସ୍ତେ ଡାକ୍ତରୀ ପାଠ ପଢିବେ ତା’ର ଦାୟିତ୍ୱ ବୋଧରାଜ ନେଲେ। ଘରର ପୁଅଙ୍କ ପାଇଁ ଡାକ୍ତରୀ କନିଆ ବି ଖୋଜା ଗଲା। ଏମିତିରେ ପରିବାରର ସମସ୍ତେ ହେଲେ ଡାକ୍ତର। ଏବେ ବି ଏହି ଧାରା ବଳବତ୍ତର ଅଛି। ତେବେ ଏହି ଧାରାକୁ ଜାରି ରଖିବା ଏତେ ସହଜ ନ ଥିଲା। କାରଣ ଘରର ଜଣେ ପୁଅ ତ ମାନେଜମେଣ୍ଟ ଡିଗ୍ରି କରିବା ଆରମ୍ଭ କରିଥିଲେ। ହେଲେ ଜେଜେମା’ଙ୍କ ଚାପ ଓ ପରିବାରର ସମସ୍ତଙ୍କ ଭାବାତ୍ମକ ନିବେଦନ ତାଙ୍କୁ ମାନେଜମେଣ୍ଟ ପଢା ଛାଡି ଡାକ୍ତରୀ ପଢିବାକୁ ବାଧ୍ୟ କଲା। ଯେକି ଏବେ ଜଣେ ବଡ଼ ସର୍ଜନ ଅଛନ୍ତି। ଏହି ପରିବାର ଦ୍ୱାରା ପରିଚାଳିତ ହସ୍ପିଟାଲରେ ଟଙ୍କା ଅଭାବରୁ କାହାରି ଚିକିତ୍ସା ବନ୍ଦ କରାଯାଏ ନାହିଁ। ଉକ୍ତ ଡାକ୍ତର ପରିବାରେ ଶାଶୁ ବୋହୁର କଳହ ଦେଖିବାକୁ ମିଳେନା। ବରଂ ଶାଶୁ ବୋହୂ ନିଜ ନିଜ ରୋଗୀ ସମ୍ପର୍କରେ କଥା ହୁଅନ୍ତି। ଡାଇନିଂ ଟେବୁଲରେ ବି ପଡ଼େ ହସ୍ପିଟାଲ କଥା। ପରିବାରର ସମସ୍ତେ ରୋଗୀ ସେବା ଏତେ ନିଷ୍ଠାର ସହ କରନ୍ତି ଯେ, କରୋନାରେ ଦୁଇଜଣଙ୍କର ମୃତ୍ୟୁ ବି ହୋଇଛି।