କରୋନାରେ ମୃତକଙ୍କ ପରିବାରକୁ ମିଳିବ ପେନ୍‌ସନ

ଭୁବନେଶ୍ବର,୧୭।୫: ରାଜ୍ୟର କରୋନାର ମୁକାବିଲା ନେଇ ସୋମବାର ସର୍ବଦଳୀୟ ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ କିଛି ବଡ ଘୋଷଣା କରିଛନ୍ତି। ଆସନ୍ତା ୨୪ ତାରିଖଠାରୁ ଏଏନ୍‌ଏମ୍‌ ଓ ଆଶାକର୍ମୀମାନେ ଗାଁରେ ଘରକୁ ଘର ବୁଲି କରୋନା ଲକ୍ଷଣ, ଅନ୍ୟାନ୍ୟ ରୋଗ ସମ୍ପର୍କରେ ସର୍ଭେ କରିବେ। ଏନେଇ ସେମାନଙ୍କୁ ମାସକୁ ୧ ହଜାର ଟଙ୍କାର ପ୍ରେତ୍ସାହନ ରାଶି ଦିଆଯିବ। ସଂଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଆଶାକର୍ମୀମାନଙ୍କୁ ସାଇକେଲ, ଛତା, ଟର୍ଚ୍ଚ, ଚପଲ ଆଦି କିଣିବା ପାଇଁ ୧୦ ହଜାର ଟଙ୍କା ମିଳିବ। ଏପରି କି କୋଭିଡ ନିୟନ୍ତ୍ରଣ କାର୍ଯ୍ୟରେ ସାମିଲ ହେବ ଗାଁ କଲ୍ୟାଣ କମିଟି। ଗତ ବର୍ଷ ପରି ଏଥର ମଧ୍ୟ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରାଯିବ। ପରିସ୍ଥିତିକୁ ଦେଖି ସରପଞ୍ଚ ଗାଁରେ ଲକ୍‌ଡାଉନ, କଣ୍ଟେନମେଣ୍ଟ ଜୋନ ଆଦି ଘୋଷଣା କରିବେ। ସେହିପରି କରୋନାରେ ମୃତ ପରିବାରକୁ ପେନ୍‌ସନ ଦିଆଯିବ। ମା’ ଓ ବାପାଙ୍କୁ ହରାଇଥିବା ପିଲାମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବା। ମାଗଣା ଶିକ୍ଷା ମିଳିବ।

Share