ଧରାକୋଟ,୧୦।୭(ଡି.ଏନ୍.ଏ.): ଠାକୁରଙ୍କ ଚିତ୍ର ଆଙ୍କିବା ପାଇଁ ରାଜା ପୁରୀ ବାଲିହରଚଣ୍ଡି ସାହିରୁ ଧରାକୋଟ ଆଣିଥିଲେ ଚିତ୍ରକର ପରିବାରକୁ। ଘର ସହ ଇନାମ ଆକାରରେ ଜମି ମଧ୍ୟ ଖଞ୍ଜୀଥିଲେ। ପ୍ରାୟ ଚାରିଶହ ବର୍ଷ ପୂର୍ବର ଜଗନ୍ନାଥ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠାବେଳେ ଧରାକୋଟ ଆସିଥିବା ଚତ୍ରକର ପରିବାର ଭୋକର ଭୂଗୋଳରେ ଏବେ ସନ୍ତୁଳିତ। ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ସେମାନଙ୍କୁ ଚିନ୍ତା ଘାରିଛି। ସ୍ନାନ ବେଦିରୁ ଅଣସର ଘରକୁ ଠାକୁର ଯିବାପରେ ଆରମ୍ଭ ହୁଏ ତାଙ୍କର କାର୍ଯ୍ୟ। ଠାକୁରଙ୍କୁ ବସ୍ତ୍ର ପିନ୍ଧାଇବା, ଚିତ୍ରକରିବା ସେମାନଙ୍କ କାମ। ଯେଉଁ ହାତରେ ଠାକୁରଙ୍କ ସେବା କରନ୍ତି ବଳକା ସମୟରେ କାଠ, ମାଟି, ସିମେଣ୍ଟ ମୂର୍ତ୍ତି ତିଆରି କରି ସେସବୁକୁ ବିକ୍ରି କରି ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ହେଲେ କରୋନାରେ ସବୁକିଛି ସ୍ଥିତି ବଦଳି ଯାଇଛି। ରାଜା ଦେଇଥିବା ଜମି ପୂର୍ବଜମାନେ ବିକି ଦେଇଛନ୍ତି। ଏବେ ପର୍ବପର୍ବାଣିରେ ମୂର୍ତ୍ତି ବିକ୍ରି କରିବା ସହ କୌଳିକ ପ୍ରଥାକୁ ଏଡାଇ ରାଜମିସ୍ତ୍ରି କାମ ଆପଣାଇଛନ୍ତି ଏଠାକାର ଚାରୋଟି ପରିବାର। ଯେଉଁ ହାତ ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତ୍ତି, ତୋରଣ,ମନ୍ଦିର ଗଢ଼ିଥିଲା ସେହି ହାତରେ ସିମେଣ୍ଟ, ବାଲି, ଇଟାର ଘର ଗଢୁଛି। ରାଜା ଠାକୁରଙ୍କ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବା ପାଇଁ ସେମାନଙ୍କୁ ପୁରୀରୁ ଆଣି ଚିତ୍ରକର ଉପାଧି ପ୍ରଦାନ କରିଥିଲେ। ପିଢ଼ି ପରେ ପିଢ଼ି ଠାକୁରଙ୍କ କାର୍ଯ୍ୟ ନିଷ୍ଠାର ସହ କରି ଚାଲିଥିବା ବେଳେ ରାଜ ରାଜୁଡ଼ା ପ୍ରଥା ବିଲୋପ ହୋଇଯିବାପରେ ସେମାନେ ଉପଯୁକ୍ତ ପାଉଣା ପାଉନାହାନ୍ତି। ଏଣୁ ଅନ୍ୟ ଉପାର୍ଜନ ଆଡ଼କୁ ଅଗ୍ରସର ହେଲେଣି । କରୋନା କଟକଣା ଏମାନଙ୍କ ହାତ ଗତ ଦୁଇ ବର୍ଷହେଲା ବାନ୍ଧି ରଖିଛି। ଚଳିତ ବର୍ଷ ଏକାଦଶୀ ଯାତ୍ରାରେ ମୂର୍ତ୍ତି ବିକ୍ରିକରି ବେଶ ଦୁଇପାଇସା ରୋଜଗାର କରିବାର ଆଶା ରଖିଛନ୍ତି ଚିତ୍ରକର ପରିବାର । କାରଣ ବଡ଼ଦାଣ୍ଡରେ ରଥ ଗଡ଼ିଲେ ହାତ ତିଆରି ମୂର୍ତ୍ତି , ମାଟି କଣ୍ଢେଇ ପସରା ମେଲି ବେଶ କିଛି ଉପାର୍ଜନ କରନ୍ତି ଏହି ପରିବାର। ବାର୍ଷିକ ଚଲଣିର କିଛିମାତ୍ରାରେ ଏଥିରେ ଚଳିଯାଏ। ହେଲେ ଏହା ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ ହେଉନାହିଁ। ଏସବୁ ଜାଣି ସୁଦ୍ଧା ପିଢ଼ି ପରେ ପିଢ଼ି ବାପା, ଜେଜେଙ୍କ ଠାରୁ ଚିତ୍ରକର କାର୍ଯ୍ୟ ଶିଖି କୌଳିକ ବୃତ୍ତିକୁ ଉତ୍ତରାଧିକାରୀମାନେ ବଜାୟ ରଖିଛନ୍ତି। ହେଲେ ଆଗକୁ ଏଥିରେ ଘର ଚଳିବନି ବୋଲି ଏଠାକାର ଚିତ୍ରକର ପରିବାରର ମୁରବି ସୁରେନ୍ଦ୍ର ମହାପାତ୍ର, ରାମହରି ମହାପାତ୍ର, ବିପ୍ର ମହାପାତ୍ର ଓ ଚନ୍ଦ୍ର ଶେଖର ମହାପାତ୍ର କହିଛନ୍ତି। ପେଟ ପୋଷିବାପାଇଁ ସରକାରୀ ପ୍ରୋତ୍ସାହନ, ତାଲିମ, ଭତ୍ତା ସହ ଗଢିଥିବା ମୂର୍ତ୍ତି ବିକ୍ରିପାଇଁ ବଜାରର ଆବଶ୍ୟକତା ରହିଛି। ଏଣୁ ସରକାର ସହାୟତାର ହାତ ବଢାଇଲେ ସୂଚାରୁ ରୂପେ ଠାକୁର ସେବା ସହ ପରିବାର ଚାଲିବା ଏବଂ କୌଳିକ ପ୍ରଥା ବଞ୍ଚି ରୁହନ୍ତା ବୋଲି ସେମାନେ କହିଛନ୍ତି।