ଦୁର୍ଘଟଣା ଉଜାଡିଦେଲା ପରିବାର

ପାରଳାଖେମୁଣ୍ଡି,୭ା୨: ପାରଳାଖେମୁଣ୍ଡି ନିକଟସ୍ଥ ରାଣୀପେଣ୍ଠ ଗ୍ରାମ ବିନୋଦିନୀ ମହାବିଦ୍ୟାଳୟ ନିକଟରେ ରବିବାର ଏକ ବାଇକ୍‌ ସହ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ସ୍ତ୍ରୀ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତକ ଗୁମ୍ମା ବ୍ଲକ ଆବାସିଙ୍ଗ ଗ୍ରାମର ଜୋଏବ ଗମାଙ୍ଗ।
ଜୋଏବ ସ୍ତ୍ରୀ ଅନିତା ଏବଂ ପୁଅ ଅମୀଙ୍କ ସହ ବାଇକ୍‌ (ଏପି୩୧ବିକେ-୭୦୨୪)ଯୋଗେ ଶ୍ୱଶୁର ଘରୁ ନିଜ ଗ୍ରାମ ଲକ୍ଷ୍ମୀପୁର ଫେରୁଥିଲେ। ବିନୋଦିନୀ ମହାବିଦ୍ୟାଳୟ ନିକଟରେ ସମ୍ମୁଖ ପଟୁ ଆସୁଥିବା ଏକ ବୋଲେରୋ (ଓଆର୍‌୧୮ସି-୨୦୩୬) ବାଇକ୍‌କୁ ଧକ୍କା ଦେଇଥିଲା। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜୋଏବଙ୍କୁ ମୃତ ଘୋଷଣା କରିଥିଲେ। ଅନିତା ଓ ଅମୀଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ପୋଲିସ ତଦନ୍ତ ଆରମ୍ଭ କରିବା ସହ ଏକ ମାମଲା ରୁଜୁ କରିଛି।

Share