ମନ୍ତ୍ରୀଙ୍କ ଝିଅକୁ ମନ ଦେଇ ବସିଥିଲେ ଏହି ପ୍ରସିଦ୍ଧ ଅଭିନେତା: ବିବାହ ପାଇଁ ଥିଲୋ ସର୍ତ୍ତ

ବଲିଉଡ୍‌ ଅଭିନେତା ବିବେକ ଓବରୟ ତାଙ୍କ ବୃତ୍ତିଗତ ଜୀବନ ଏବଂ ପ୍ରେମ ସମ୍ପର୍କ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି। ସେ ପ୍ରିୟଙ୍କା ଆଲଭାଙ୍କୁ ବିବାହ କରିଥିଲେ। ପ୍ରିୟଙ୍କା ଜଣେ ସାମାଜିକ କର୍ମୀ ଏବଂ ସେ ଅନେକ ଏନଜିଓ ପାଇଁ କାର୍ଯ୍ୟ କରିଛନ୍ତ। ସୋସିଆଲ ମିଡିଆରେ ଉଭୟ ବହୁତ ସକ୍ରିୟ ରୁହନ୍ତି। ବିବେକ ୩ ସେପ୍ଟେମ୍ବର ୧୯୭୬ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ସେ ହେଉଛନ୍ତି ପ୍ରସିଦ୍ଧ ଅଭିନେତା ସୁରେଶ ଓବରୟଙ୍କ ପୁଅ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ‘କମ୍ପାନୀ’। ଏହି ଫିଲ୍ମ ପାଇଁ ସେ ଫିଲ୍ମଫେୟାର ଶ୍ରେଷ୍ଠ ଡେବ୍ୟୁ ପୁରସ୍କାର ପାଇଥିଲେ। ଚଳଚ୍ଚିତ୍ର ସହିତ ବିବେକ ଐଶ୍ୱର୍ଯ୍ୟା ରାୟଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଅଧିକ ଚର୍ଚ୍ଚାରେ ଥିଲେ।
ଐଶ୍ୱର୍ଯ୍ୟାଙ୍କ ପରେ ବିବେକ କୌଣସି ଅଭିନେତ୍ରୀଙ୍କୁ ଡେଟ୍‌ କରିବାର ଖବର ଆସି ନ ଥିଲା। କେବଳ ଏତିକି ନୁହେଁ, ସେ କିଛି ସମୟ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଅଦୃଶ୍ୟ ହୋଇଯାଇଥିଲେ। ଐଶ୍‌ ସହିତ ବ୍ରେକଅପ କରିବା ପରେ ବିବେକ ପ୍ରିୟଙ୍କାଙ୍କୁ ବିବାହ କରିଥିଲେ। ପ୍ରିୟଙ୍କା ଆଲଭା କର୍ନାଟକର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଜୀବରାଜ ଆଲଭାଙ୍କ ଝିଅ। ବିବେକ ଏବଂ ପ୍ରିୟଙ୍କାଙ୍କ ପ୍ରେମ କାହାଣୀ ଅତ୍ୟନ୍ତ ଆକର୍ଷଣୀୟ। ବିବେକଙ୍କ ମାତାପିତା ଚାହୁଁଥିଲେ ବିବେକ ଯଥାଶୀଘ୍ର ବିବାହ କରନ୍ତୁ ଯାହା ଦ୍ୱାରା ସେ ତାଙ୍କର ଅତୀତକୁ ଭୁଲି ପାରିବେ। ବିବେକ ସେହି ସମୟରେ ତାଙ୍କ ମାତା ଯଶୋଦରା ଓବରାୟଙ୍କ ସହ ଲଣ୍ଡନରେ ଥିଲେ। ବିବେକଙ୍କ ମା’ ତାଙ୍କୁ କହିଥିଲେ ଯେ ପ୍ରିୟଙ୍କା ଫ୍ଲୋରେନ୍ସରେ ଅଛନ୍ତି ଏବଂ ସେ ଯାଇ ତାଙ୍କୁ ଭେଟିବାକୁ କହିଥିଲେ। କିନ୍ତୁ ବିବେକ ପ୍ରିୟଙ୍କାଙ୍କୁ ଭେଟିବାକୁ ପ୍ରସ୍ତୁତ ନ ଥିଲେ। ସେ ତାଙ୍କ ମା’ଙ୍କୁ କହିଥିଲେ ଯେ ଯଦି ପ୍ରିୟଙ୍କା ତାଙ୍କୁ ପସନ୍ଦ କରନ୍ତି, ତେବେ ସେ ପ୍ରଥମେ ତାଙ୍କୁ ଏକ ବର୍ଷ ପାଇଁ ଡେଟ କରିବେ ଏବଂ ପରବର୍ତ୍ତୀ ବର୍ଷ ତାଙ୍କୁ ବିବାହ କରିବେ। ବିବେକଙ୍କ ମା’ ଏହି ସର୍ତ୍ତରେ ରାଜି ହୋଇଥିଲେ ଏବଂ ବିବେକ ପ୍ରିୟଙ୍କାଙ୍କୁ ଭେଟିବା ପାଇଁ ଫ୍ଲୋରେନ୍ସ ଯାଇଥିଲେ। ବିବେକ ପ୍ରିୟଙ୍କାଙ୍କୁ ଏତେ ପସନ୍ଦ କରିଥିଲେ ଯେ ସେ ଗୋଟିଏ ବର୍ଷ ଅପେକ୍ଷା କରି ନ ଥିଲେ ଏବଂ ୨୦୧୦ରେ ଉଭୟ ବିବାହ କରିଥିଲେ।

Share