ସ୍ତ୍ରୀଙ୍କ ଠାରୁ କମ୍‌ ରୋଜଗାର କରୁଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ନାନା ପାଟେକର ୧ ଜାନୁଆରୀ ୧୯୫୧ରେ ମହାରାଷ୍ଟ୍ରର କୋଲାବାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ବିଶ୍ୱନାଥ ପାଟେକର। ହିନ୍ଦୀ ବ୍ୟତୀତ ସେ ମରାଠୀ ସିନେମାରେ ମଧ୍ୟ ସେକାମ କରିଛନ୍ତି। ନାନା ତାଙ୍କର ଅଭିନୟ ପାଇଁ ବେଶ ପ୍ରସିଦ୍ଧ। ତାଙ୍କ ଫିଲ୍ମ କ୍ୟାରିୟର ବିଷୟରେ ପ୍ରାୟ ସମସ୍ତଙ୍କୁ ଜଣା। ଜନ୍ମଦିନ ଅବସରରେ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ କିଛି ବିଶେଷ କଥା ଜାଣନ୍ତୁ…

ସେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ମୁମ୍ବାଇରେ ଟେକ୍ସଟାଇଲ ବ୍ୟବସାୟ କରୁଥିଲେ। ଏକ ସମୟ ଥିଲା ଯେତେବେଳେ ତାଙ୍କ ପରିବାର ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲା। ଏହି ସମୟରେ ସେ ପାଠପଢ଼ା ସହିତ କାମ କରିବା ବିଷୟରେ ଚିନ୍ତା କରିଥିଲେ। ସେ ସକାଳେ କଲେଜ ଯାଉଥିଲେ ଏବଂ ସମୟ ମିଳିବା ମାତ୍ରେ ଏକ ବିଜ୍ଞାପନ ଏଜେନ୍ସିରେ କାମ କରୁଥିଲେ।

ଏକ ଦିନ ସେ ନୀଲକାନ୍ତି ପାଟେକରଙ୍କୁ ଭେଟିବା ପରେ ତାଙ୍କୁ ଭଲପାଇ ବସିଥିଲେ। ସେହି ସମୟରେ ନୀଲକାନ୍ତି ବ୍ୟାଙ୍କରେ କାମ କରୁଥିଲେ। ତେବେ ସେ ଥିଏଟର ପ୍ରତି ମଧ୍ୟ ଆଗ୍ରହୀ ଥିଲେ ଏବଂ ମଞ୍ଚରେ ଅଭିନୟ କରୁଥିଲେ। ୧୯୭୮ରେ ସେମାନେ ବିବାହ କରିଥିଲେ। ସେହିବର୍ଷ ସେ ଫିଲ୍ମ ଡେବ୍ୟୁ ମଧ୍ୟ କରିଥିଲେ। ସେହି ସମୟରେ ନାନାଙ୍କୁ ୨୭ ବର୍ଷ ହୋଇଥିଲା।

ପ୍ରାରମ୍ଭରେ, ଯେତେବେଳେ ନାନା କେବଳ ଥିଏଟର କାମ କରୁଥିଲେ, ସେତେବେଳେ ତାଙ୍କର ଆର୍ଥିକ ସମସ୍ୟା ଦେଖାଦେଇଥିଲା। ସେ ଗୋଟିଏ ଶୋ ପାଇଁ ୭୫ ଟଙ୍କା ପାଉଥିଲେ। ଏହି ସମୟରେ ସ୍ତ୍ରୀ ନୀଲକାନ୍ତିଙ୍କ ମାସକୁ ଦରମା ଅଢ଼େଇ ହଜାର ଟଙ୍କା ଥିଲା। ଏକ ସାକ୍ଷାତକାରରେ ନାନା କହଥିଲେ ,‘ନୀଲକାନ୍ତି ମୋତେ ସେହି କଷ୍ଟ ସମୟରେ କହିଥିଲେ ଯେ ତୁମେ ଟଙ୍କା ବିଷୟରେ ଚିନ୍ତା କର ନାହିଁ ଏବଂ କଠିନ ପରିଶ୍ରମ ସହିତ ତୁମର କାମ କର’। ଏହା ପରେ ନାନା ପାଟେକର ପ୍ରାୟ ଏକ ଦଶନ୍ଧି ଧରି ଥିଏଟରରେ କାମ କରିଥିଲେ।

Share