ଭଙ୍ଗାହେଲା ମଟନ ହୋଟେଲ

ଭୁବନେଶ୍ୱର, ୧୭।୯ (ବ୍ୟୁରୋ): ନିୟମ ଉଲ୍ଲଂଘନ କରି ବ୍ୟବସାୟ କରିବା ଓ ପରେ ବିଏମ୍‌ସି ନିର୍ଦ୍ଦେଶକୁ ଅବମାନନା କରିବା ଶେଷରେ ମହଙ୍ଗା ପଡିଛି। ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା ଭୁବନେଶ୍ୱରର ପ୍ରସିଦ୍ଧ କିଶୋର ଭାଇନା ହୋଟେଲକୁ ବିଏମ୍‌ସି ଓ ବିଡିଏ ପକ୍ଷରୁ ବୁଲ୍‌ଡୋର ଚଲାଇ ଭାଙ୍ଗି ଦିଆଯାଇଛି।
ବିଏମ୍‌ସି ପକ୍ଷରୁ ଛୋଟ ବଡ଼ ହୋଟେଲ ଓ ଦୋକାନ ଉପରେ ଚଢାଉ କରି ସ୍ବଚ୍ଛତା ସହ ଖାଦ୍ୟର ମାନ ଯାଞ୍ଚ କରାଯାଉଛି। ବୁଧବାର ବିଏମ୍‌ସିର ଖାଦ୍ୟ ନିରାପତ୍ତା ଟିମ୍‌ କିଶୋର ଭାଇନା ହୋଟେଲରେ ଯାଞ୍ଚ ସମୟରେ ସେଠାରୁ ବାସି କଙ୍କଡ଼ା, ଏକ୍ସପାରୀ ସସ୍‌, ଫୁଡ୍‌ କଲର ଜବତ କରିଥିଲ। ସେହିପରି ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ଦେଖି ରେଜିଷ୍ଟ୍ରେଶନ୍‌ ରଦ୍ଦ ସହ ସିଲ୍‌ କରାଯାଇ ଥିଲା। ମାତ୍ର ବିଏମ୍‌ସିର ନାଲି ଆଖିକୁ ଖାତିର୍‌ ନ କରି ଗୁରୁବାର ସ୍ବାଭାବିକ ଭାବେ ହୋଟେଲ ଖୋଲାଯାଇଥିଲା। ହୋଟେଲ୍‌ ସିଲ୍‌ ପରେ ବିନା ଅନୁମତିରେ କିପରି ବ୍ୟବସାୟ ଚାଲିଲା, ଏନେଇ ବିଏମ୍‌ସିର କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠିଥିଲା। ଶୁକ୍ରବାର ଏହାର ଜବାବ ଦେଇଥିଲା ବିଏମ୍‌ସି। ସରକାରୀ ଜମି ଉପରେ ସମ୍ପୃକ୍ତ ହୋଟେଲ ରହିଥିବା ଜାଣିବା ପରେ ବିଏମ୍‌ସି ଓ ବିଡିଏର ମିଳିତ ଟିମ୍‌ ସଙ୍ଗେ ସଙ୍ଗେ ବୁଲ୍‌ଡୋଜର ବୁଲାଇ ହୋଟେଲ୍‌କୁ ଭଙ୍ଗା ଯାଇଥିଲା। ଘଟଣା ସମ୍ପର୍କରେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, କାହାକୁ ଟାର୍ଗେଟ କରାଯାଉନାହଁି। ସ୍ବଚ୍ଛତା, ପରିମଳ, ଟ୍ରାଫିକ୍‌ ସମସ୍ୟା, ଜବରଦଖଲ, ଫୁଡ୍‌ ଲାଇସେନ୍ସ କିମ୍ବା ଟ୍ରେଡ୍‌ ଲାଇସେନ୍ସ ନ ଥିବା ସଂସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି। ଦୂରଦର୍ଶନ ଅଫିସ୍‌ ନିକଟ ରାସ୍ତା କଡ଼ରେ ଥିବା ଏହି ହୋଟେଲ ଜବରଦଖଲ ସହିତ ପରିବେଶ ନଷ୍ଟ ନେଇ ଅଞ୍ଚଳବାସୀଙ୍କଠାରୁ ବହୁ ପୂର୍ବରୁ ଅଭିଯୋଗ ଆସୁଥିଲା। ସମ୍ପୃକ୍ତ ହୋଟେଲ ମାଲିକଙ୍କୁ ନୋଟିସ୍‌ ଦିଆଯାଇଥିଲେ ବି ସେ ଏହାର ଖିଲାପ କରିଥିଲେ। ଯେ କେହି ନିୟମ ଖିଲାପ କରିବେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ।

Share