ପ୍ରସିଦ୍ଧ ପିଞ୍ଛାବଣିଆ ଦୋଳମେଳା

ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ସୀମାନ୍ତରେ ଶହେରୁ ଊର୍ଦ୍ଧ୍ୱ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ଓଡ଼ିଶା ପ୍ରସିଦ୍ଧ ପିଞ୍ଛାବଣିଆ ଦୋଳ ମେଳା। ସମଗ୍ର ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟରେ ଏହା ପିଞ୍ଛାବଣିଆ ହୋଲି ଭାବେ ଖ୍ୟାତି ଅର୍ଜନ କରିଛି। ସଂସ୍କୃତି, ଐତିହ୍ୟ ଓ ପରମ୍ପରାସମ୍ପନ୍ନ ଏହି ମେଳଣରେ ଆଗଭଳି ଦୋଳ ବିମାନରେ ରାଧାକୃଷ୍ଣଙ୍କ ବିଗ୍ରହ ସାମିଲ୍‌ ହେଉନାହାନ୍ତି। ପୂର୍ବ ପରମ୍ପରା ଫିକା ପଡୁଥିବା ବେଳେ ବର୍ଷକୁ ବର୍ଷ ଏଠାରେ ବ୍ୟବସାୟିକ କାରବାର ବୃଦ୍ଧି ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।
୪ଦିନ ବ୍ୟାପୀ ଏହି ମେଳାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୁଏ। ଉଠା ବ୍ୟବସାୟୀଙ୍କ ଭିଡ଼ ଜମେ। ଖିଚିଂର ପଥର ମୂର୍ତ୍ତି, ପିପିଲିର ଚାନ୍ଦୁଆ, ରେମୁଣାର କଂସା ବାସନ, ଭୋଗରାଇ ଓ ଚନ୍ଦନେଶ୍ୱରର ମଶିଣାଠାରୁ ଆରମ୍ଭ କରି ମାଛଧରା ଜାଲ, ବେତପାଛିଆ, ବିଞ୍ଚଣା, ଚଲା, ଚାଲୁଣି, କୁଲା, କେଟିଆ, ଜୁଆଳି, କବାଟ, ଚଣା, ଉଖଡ଼ା ଆଦି ସମସ୍ତ ଘରକରଣା ଜିନିଷ ଏହି ମେଳାରେ ମିଳିଥାଏ। ହେଲେ ଏହାର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସଂସ୍କୃତି, ପର୍ଯ୍ୟଟନ ବିଭାଗର ନଜର ନାହଁି। ଗ୍ରାମର ବୟସ୍କ ବ୍ୟକ୍ତି କୈଳାସ ପଣ୍ଡା କହନ୍ତି, ଗ୍ରାମବାସୀଙ୍କ ସହଯୋଗରେ ଏହି ମେଳା ଅନୁଷ୍ଠିତ ହୋଇଆସୁଛି। ୨୫ରୁ ଊର୍ଦ୍ଧ୍ୱ ବିମାନ ଏଠାକୁ ଆସୁଥିଲେ, ମେଳଣ ହେଉଥିଲା। ଏବେ ଆଧ୍ୟାମତ୍ିକ ଭାବ କମିଯାଇଛି। ଆଗଭଳି ଆଉ ଦୋଳ ବିମାନରେ ଅନ୍ୟ ଆଡୁ ରାଧାକୃଷ୍ଣଙ୍କ ବିଗ୍ରହ ସାମିଲ୍‌ ହେଉନାହାନ୍ତି।
ରୂପ୍‌ସା ସାମିଲ ହସନପୁର ସରପଞ୍ଚ ମାଳତୀ ପ୍ରଧାନ କହନ୍ତି, ଏବର୍ଷ ହୋଲି ପଡ଼ିଆକୁ ପଞ୍ଚାୟତ ତରଫରୁ ୪ଲକ୍ଷ ୬୫ହଜାର ଟଙ୍କାରେ ନିଲାମ କରାଯାଇଛି। ଅବାଧ ଜୁଆ ଖେଳ, ଚୋରା ମଦ ଓ ନିଶା ବ୍ୟବସାୟକୁ ରୋକିବା ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଗଲେ ବ୍ୟବସାୟୀ, ଝିଅବୋହୂ ନିଜକୁ ନିରାପଦ ମଣନ୍ତେ।
ଦୋଳ ମେଳା ସାଂସ୍କୃତିକ ପରିଷଦ ସଭାପତି ତଥା ଜିଲାପରିଷଦ ସଭ୍ୟ ସଞ୍ଜୟ କୁମାର ସେଠୀ କହନ୍ତି, ମେଳାର ଗୁରୁତ୍ୱ ଦୃଷ୍ଟିରୁ ରାଜ୍ୟ ସଂସ୍କୃତି, ପର୍ଯ୍ୟଟନ ବିଭାଗ ତଥା ଶିଳ୍ପ, ବାଣିଜ୍ୟ ବିଭାଗ ତରଫରୁ ବିଭିନ୍ନ ପ୍ରଦର୍ଶନୀ, ସଚେତନତା କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବା ଉଚିତ୍‌। ଏହି ମେଳା ପଞ୍ଜିକାରେ ଲିପିବଦ୍ଧ ହୋଇଥିଲେ ହେଁ ଏହାର ଗୁରୁତ୍ୱ ଦୃଷ୍ଟିରୁ ସର୍ବାଙ୍ଗୀନ ଉନ୍ନତି ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ରୂପ୍‌ସା ଥାନା ଆଇଆଇସି ପ୍ରଫୁଲ୍ଲ କୁମାର ମଲ୍ଲିକ କହନ୍ତି, ଶାନ୍ତିଶୃଙ୍ଖଳା ଓ ମେଳାର ନିରାପତ୍ତା ଦିଗରେ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। କୌଣସି ଅନିୟମିତତାର ଅଭିଯୋଗ ଆସିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ବାଞ୍ଛାନିଧି ଦେ, ରୂପସା