Categories: ଜାତୀୟ

୨ ଦିନ ମଧ୍ୟରେ କଂଗ୍ରେସରେ ଯୋଗଦେବା ନିଷ୍ପତ୍ତି ବଦଳାଇଲେ ପ୍ରସିଦ୍ଧ ଗାୟକ

ଚଣ୍ଡିଗଡ,୧୦।୯:ଗାୟକ କହ୍ନେୟା ମିତ୍ତଲ କଂଗ୍ରେସରେ ଯୋଗଦେବେ ନାହିଁ। ସେ କଂଗ୍ରେସରେ ଯୋଗଦେବା ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଛନ୍ତି। ‘ଜୋ ରାମ କୋ ଲାଏ ହେଁ, ହମ ଉନ୍‌କୋ ଲାଏଙ୍ଗେ’ ଗୀତରେ ପ୍ରସିଦ୍ଧ କହ୍ନେୟା କଂଗ୍ରେସରେ ଯୋଗଦେବାକୁ ଘୋଷଣା କରିଥିଲେ। ହରିୟାଣାର ପଞ୍ଚକୁଲା ଆସନରୁ ସେ ଭାଜପା ଟିକେଟ ଚାହୁଁଛନ୍ତି ବୋଲି ଆଲୋଚନା ହୋଇଥିଲା। ଭାଜପା ଜିଆନ ଚାନ୍ଦ ଗୁପ୍ତାଙ୍କୁ ଏଠାରୁ ପ୍ରାର୍ଥୀ କରିଥିଲା। ତେବେ କହ୍ନେୟା ଟିକେଟ ଚାହୁଁ ନାହାଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

କଂଗ୍ରେସରେ ଯୋଗ ନ ଦେବା ନିଷ୍ପତ୍ତି ଉପରେ କହ୍ନେୟା ମିତ୍ତଲ ଏକ ଭିଡିଓ ଜାରି କରିଛନ୍ତି। ସେ କହିଛନ୍ତି, ଗତ ଦୁଇ ଦିନ ହେଲା ମୁଁ ଅନୁଭବ କଲି ଯେ ମୋର ସମସ୍ତ ସନାତନ ଭାଇ ଓ ଭଉଣୀ ଏବଂ ବିଶେଷକରି ଭାଜପାର ଶୀର୍ଷ ନେତୃତ୍ୱ ମୋତେ ବହୁତ ଭଲ ପାଆନ୍ତି, ଗତ ଦୁଇ ଦିନ ଧରି ମୁଁ ଦେଖିଲି ଏମାନେ ସମସ୍ତେ ଚିନ୍ତିତ ଅଛନ୍ତି। ମୁଁ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି, ମୁଁ କଂଗ୍ରେସରେ ଯୋଗଦେବାକୁ କହିଥିଲି।

ସେଆହୁରି ମଧ୍ୟ କହିଛନ୍ତି, ମୁଁ ଚାହେଁ ନାହିଁ ଯେ କୌଣସି ସନାତନଙ୍କ ବିଶ୍ୱାସ ଭାଙ୍ଗିଯାଉ। ଯଦି ମୁଁ ଆଜି ଭାଙ୍ଗିଯାଏ, ତେବେ କେତେ ଜଣ ଭାଙ୍ଗିବେ ମୁଁ ଜାଣେ ନାହିଁ। ଆମେ ସମସ୍ତେ ରାମଙ୍କର ଅଟୁ ଏବଂ ସର୍ବଦା ରାମଙ୍କର ରହିବୁି। ମୁଁ ପୁନର୍ବାର କ୍ଷମା ପ୍ରାର୍ଥନା କରୁଛି।

Share