ବରଗଡ଼ ଅଫିସ,୨୬।୭: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କେତେବେଳେ ଲକ୍ଡାଉନ ତ ଆଉ କେତେବେଳେ ଶଟଡାଉନ କଟକଣା ଲାଗୁ ହେଉଛି। ଏଭଳି ସ୍ଥିତିରେ ବିଭିନ୍ନ ଲୋକଙ୍କ ରୋଜଗାର ପନ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଛି। ଏପରିକି ଏଥିରୁ ମଧ୍ୟ ବାଦ୍ ପଡି ନାହାନ୍ତି ଦୁଗ୍ଧ ଚାଷୀ । ଓମ୍ଫେଡ ପରିଚାଳିତ ସମଲେଶ୍ବରୀ ଦୁଗ୍ଧ ଉତ୍ପାଦକ ସଂଘ, ସମ୍ବଲପୁର ଚାଷୀଙ୍କଠାରୁ ଦୁଗ୍ଧ (କ୍ଷୀର) ସଂଗ୍ରହକୁ ବନ୍ଦ କରି ଦେଇଛି। ଫଳରେ ଜିଲାର ବିଭିନ୍ନ ସ୍ଥାନରେ ରହିଥିବା ଦୁଗ୍ଧ ଉତ୍ପାଦକ ସମିତିଗୁଡ଼ିକରେ ତାଲା ଝୁଲୁଥିବା ଯୋଗୁ ଚାଷୀମାନେ କ୍ଷୀର ବିକ୍ରି କରି ପାରୁ ନାହାନ୍ତି।
ଅନ୍ୟପଟେ ପୋଲିସ ଭୟରେ ଚାଷୀମାନେ ବଜାରକୁ ମଧ୍ୟ କ୍ଷୀର ବିକ୍ରି କରିବା ପାଇଁ ଯାଇ ପାରୁନାହାନ୍ତି। ଏ ନେଇ ଉତ୍ପାଦିତ କ୍ଷୀର ନଷ୍ଟ ହେବାରେ ଲାଗିଛି। ଏହାର ପ୍ରତିବାଦରେ ରବିବାର ସକାଳୁ ବରଗଡ଼ ବ୍ଲକ କଲାପାଣି ଅଞ୍ଚଳର ଚାଷୀମାନେ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଶତାଧିକ ଲିଟର କ୍ଷୀର ଢାଳିଛନ୍ତି। ଯେଉଁଠି ମଦ ଦୋକାନ ଖୋଲି ତାହା ବିକ୍ରି ହୋଇ ପାରୁଛି, ସେଠି ଦୁଗ୍ଧ ଉତ୍ପାଦକ ସମିତି ଖୋଲା ରଖି କାହିଁକି କ୍ଷୀର କିଣାଯାଇ ପାରିବ ନାହିଁ ବୋଲି ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି। ତେବେ ପ୍ରଶାସନ କିମ୍ବା ସରକାର କ୍ଷୀର ବିକ୍ରି ଦିଗରେ ଶୀଘ୍ର ପଦକ୍ଷେପ ନ ନେଲେ ସମସ୍ତ ଚାଷୀ ସଂଗଠିତ ହୋଇ ଆଗକୁ ବ୍ୟାପକ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
Posted inଆମ ଜିଲା ଖବର, ବରଗଡ଼