କୁଆମରା,୨।୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ସଦର ମହକୁମା ସାନଖୁଣ୍ଟା ପଞ୍ଚାୟତର ଚତୁର୍ଶିଳା ମୌଜାରେ ୨୦୧୯ରେ କୃଷକଙ୍କ ସ୍ବାର୍ଥ ଲାଗି ନିର୍ମାଣ ହୋଇଥିବା କୃଷକ ପରାମର୍ଶ କେନ୍ଦ୍ର ଏବେ ଭୂତକୋଠି ପାଲଟିଛି। ୪ଲକ୍ଷ ୪୪ହଜାର ଟଙ୍କା ଅଟକଳର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ଏହି କେନ୍ଦ୍ର ନିର୍ମାଣ ହୋଇଥିଲା। ତେବେ ନିର୍ମାଣର ୩ବର୍ଷ ପୂରିବାକୁ ବସିଥିବା ବେଳେ ପ୍ରଶାସନିକ ସ୍ଥାଣୁତା ଓ ବିଭାଗୀୟ ଆନ୍ତରିକତା ଅଭାବରୁ ଏହି କେନ୍ଦ୍ର ଅଦ୍ୟାବଧି ଖୋଲପାରୁନି। କେନ୍ଦ୍ର ଗୃହରେ ତାଲା ଝୁଲୁଛି। ବ୍ଲକଠାରୁ ୩୦୦ମିଟର ଦୂରରେ ଏହି ପରାମର୍ଶ କେନ୍ଦ୍ର ନିର୍ମାଣ ହୋଇଥିଲେ ମଧ୍ୟ ବ୍ଲକ କର୍ର୍ତ୍ତୃପକ୍ଷ କିମ୍ବା କୃଷି ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେବା ଅତ୍ୟନ୍ତ ପରିତାପର ବିଷୟ। ତେବେ ଏହି ପରାମର୍ଶ କେନ୍ଦ୍ର କାହା ପାଇଁ କେଉଁ ସ୍ବାର୍ଥରେ ନିର୍ମାଣ ହୋଇଛି ସେଥିନେଇ କୃଷକମାନେ ପ୍ରଶ୍ନ କରିଛନ୍ତି। ଏହି କେନ୍ଦ୍ର ନିର୍ମାଣରେ ବ୍ୟୟ ହୋଇଥିବା ଅର୍ଥ କେବଳ ଠିକାଦାରଙ୍କ ସ୍ବାର୍ଥରେ ବିନିଯୋଗ ହୋଇଥିବା ଅନେକ ଚାଷୀ ଅଭିଯୋଗ କରିଛନ୍ତି। ଏ ନେଇ କୃଷକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ପରାମର୍ଶ କେନ୍ଦ୍ର ସମ୍ମୁଖ ଭାଗ ଏବେ ଅନାବନା ଗଛଲତାରେ ପୂର୍ଣ୍ଣ ହୋଇଛି। ଯାହାକୁ କେହି ଜଣେ ଦେଖିଲେ ଭୂତକୋଠି ବୋଲି କହିବ। ୩ବର୍ଷ ଧରି ଅଣଦେଖା ହୋଇ ପଡ଼ିରହିଥିବା ଏହି ପରାମର୍ଶ କେନ୍ଦ୍ରକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଦାବି ହେଉଛି। ଏ ସଂକ୍ରାନ୍ତରେ ବ୍ଲକ କୃଷି ଅଧିକାରୀ ହାଡିବନ୍ଧୁ ପଣ୍ଡାଙ୍କୁ ପଚାରିବାରୁ କାର୍ଯ୍ୟରେ ନୂଆ ଯୋଗ ଦେଇଥିବାରୁ ଏ ବିଷୟରେ ଜାଣି ନାହଁାନ୍ତି ଏବଂ ଏଥି ପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି।