ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ)କଟ୍‌ନୀ ଛଟ୍‌ନୀ ଓ ଅନ୍ୟ ସମସ୍ୟାକୁ ନେଇ କେନ୍ଦ୍ରାପଡ଼ା ଜିଲା କୃଷକ ସଙ୍ଗଠନ ଗତ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଣଧାରଣା ଦେଇଥିଲେ। ଖରିଫ ଧାନର ଅଭାବ ବିକ୍ରି ଠାରୁ ଆରମ୍ଭ କରି ଶସ୍ୟ ସଂରକ୍ଷଣ ସମସ୍ୟା ଉତ୍‌ଥାପନ କରି ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ମହାକାଳପଡ଼ା, ରାଜନଗରର ଚାଷୀ ସରକାରୀ ମଣ୍ଡିରେ ଧାନ ବସ୍ତା ଥୋଇ ବିକ୍ରି ପାଇଁ ଅପେକ୍ଷା କରିଛନ୍ତି। ଟୋକନ ଓ ମିଲର ସମସ୍ୟା ନେଇ ଅଶାନ୍ତି ଆରମ୍ଭ ହୋଇଯାଇଛି।
ଚାଷୀ ଧାନ ବିକ୍ରି ପାଇଁ ଅପେକ୍ଷା କରିଥିବା ବେଳେ ମିଲରଠାରୁ ଆରମ୍ଭ କରି ସମିତି କାର୍ଯ୍ୟକର୍ତ୍ତାଙ୍କ ଅଣଦେଖା ସେମାନଙ୍କୁ ବାଧୁଛି। କେବଳ ରାଜନଗର ଓ ମହାକାଳପଡ଼ାରେ ଏହି ସମସ୍ୟା ସୀମିତ ନୁହେଁ। ଜିଲା ସାରା ସରକାରୀ ମଣ୍ଡି ଆବଶ୍ୟକ ମୁତାବକ ବଳକା ଧାନ ଉଠାଉ ନ ଥିବା ଅଭିଯୋଗ ହେଉଛି। ସରକାରୀ ମଣ୍ଡିର ଏହି ଅବ୍ୟବସ୍ଥା ପାଇଁ ଅଭାବୀ ବିକ୍ରି ଆରମ୍ଭ ହୋଇଯାଇଛି। ବେପାରୀ ଓ ଅଧିକାରୀ ମାଲାମାଲ ହେବା ପାଇଁ ଅଭାବୀ ବିକ୍ରୀକୁ ପ୍ରୋତ୍ସାହିତ କରୁଥିବା ଦର୍ଶାଇ ଚାଷୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଉଛନ୍ତି।
ଏସମ୍ପର୍କରେ କେନ୍ଦ୍ରାପଡ଼ା ବ୍ଲକ କଂସାରୀ ଗ୍ରାମର ନିରଞ୍ଜନ ପରିଡ଼ା କହିଛନ୍ତି, ସରକାରୀ ମଣ୍ଡିରେ ଧାନ ବିକ୍ରି ହେବ। ହାତକୁ ଦୁଇ ପଇସା ଆସିଲେ ଚଳିତ ବର୍ଷ ଝିଅ ବାହାଘରର ଝାମେଲା ତୁଟିବ। ଏହି ସ୍ବପ୍ନ ନେଇ ଘରର ସମସ୍ତ ଅର୍ଥ ଖରିଫ ଧାନ ଚାଷରେ ଲଗାଇଥିଲି। ମଣ୍ଡିରେ ଧାନ ବିକ୍ରି ପାଇଁ ଉପଯୁକ୍ତ ସମୟରେ ପଞ୍ଜୀକରଣ ହେଲା। ମୋବାଇଲରେ ଧାନ ବିକ୍ରି ପାଇଁ ସୂଚନା ଆସିଲା। ପରିବାର ସଦସ୍ୟ ଝିଅ ବାହାଘର ପାଇଁ ଅର୍ଥ ସମସ୍ୟା କିଛି ମାତ୍ରାରେ କମିଲା ବୋଲି ସରକାରୀ ବ୍ୟବସ୍ଥାକୁ ଧନ୍ୟବାଦ ଦେଲେ। ତେବେ ବଳକା ଧାନ ଅଦ୍ୟାବଧି ନେଇନାହାନ୍ତି।
୩ ଦିନ ଧରି ଧାନ ବସ୍ତା ବାହାରେ ପଡ଼ି ରହିଥିବା ସେ ପ୍ରକାଶ କରିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକର ଜ୍ୟୋତିପ୍ରକାଶ ପ୍ରଧାନ କହିଛନ୍ତି, ଜିଲା ପ୍ରଶାସନ ଚାଷୀଙ୍କ ପ୍ରକୃତ ସମସ୍ୟା ବୁଝିବାକୁ ଚେଷ୍ଟା କରି ନାହାନ୍ତି। ଚାଷୀଙ୍କଠାରୁ ଅତିବେଶୀରେ ୫୦ କୁଇଣ୍ଟାଲ ଧାନ କ୍ରୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ୭୫ କୁଇଣ୍ଟାଲକୁ ବୃଦ୍ଧି ପାଇଁ ଏକ ସ୍ମାରକପତ୍ର ଦିଆ ଯାଇଥିବା ସେ ପ୍ରକାଶ କରିଛନ୍ତି। ଗଣ୍ଡକୂଳ ଗ୍ରାମର ଚାଷୀ ତ୍ରୈଲୋକ୍ୟନାଥ ଦାସ କହିଛନ୍ତି, ଟାର୍ଗେଟ ନ ଥିବା ଦର୍ଶାଇ ଚାଷୀଙ୍କ ଝାଳର ମୂଲ୍ୟକୁ ଧାନ ବ୍ୟବସାୟୀ ଓ ପାକ୍ସ ଅଧିକାରୀମାନେ ବାଣ୍ଟି ନେଉଥିବା ସେ ଅଭିଯୋଗ କରିଛନ୍ତି। ଜିଲାରେ ଚାଷୀଙ୍କ ଦରଦକୁ କେହି ବୁଝୁ ନ ଥିବାରୁ ଅଭାବୀ ବିକ୍ରିକୁ ପ୍ରେତ୍ସାହିତ କରାଯାଉଛି। ଆଗାମୀ ଦିନରେ ଏନେଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚାଷୀମାନେ ମତ ଦେଇଛନ୍ତି। ଏସମ୍ପର୍କରେ କୃଷକ ନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ଜିଲାର ୧ ଲକ୍ଷ ୨୪ ହଜାର ହେକ୍ଟର ଜମିରେ ୩ ଲକ୍ଷ ୧୧ ହଜାରରୁ ଅଧିକ ଚାଷୀ ଚଳିତ ବର୍ଷ ଖରିଫ ଧାନ ଚାଷ କରିଛନ୍ତି। ତେବେ ପ୍ରାୟ ୯୦ ପ୍ରତିଶତ ଚାଷୀଙ୍କ ବଳକା ଧାନ ବିକ୍ରି ହୋଇପାରୁନାହିଁ। ଏପରିକି ଚଳିତ ବର୍ଷର ଧାନ ବିକ୍ରୟ ପାଇଁ ପଞ୍ଜିକୃତ ହୋଇଥିବା ୪୦ ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କ ମଧ୍ୟରୁ ପ୍ରାୟ ୨୫ ହଜାରରୁ ଅଧିକ ଚାଷୀଙ୍କ ବଳକା ଧାନ ସରକାରୀ ମଣ୍ଡିରେ ବିକ୍ରୟ ହୋଇପାରିନାହିଁ। ଜିଲାର ୧୧୮ ପାକ୍ସ ମଧ୍ୟରୁ ଅଧିକାଂଶରେ ଟୋକନ ସମସ୍ୟା ଦେଖା ଦେଇଥିବା ବେଳେ ଏବେ ଟାର୍ଗେଟ ନ ଥିବା କହି ଚାଷୀଙ୍କୁ ହତାଶ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କ ଉପତ୍ାଦ ପ୍ରତି ସୁରକ୍ଷା ପ୍ରଦାନ କରୁଥିବା କହୁଥିଲେ ମଧ୍ୟ ବାସ୍ତବରେ ଅଭାବୀ ବିକ୍ରୀକୁ ପ୍ରୋତ୍ସାହିତ କରାଯାଉଛି। ଜିଲାର ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କ୍ରୟ ନ ହେଲେ କୃଷକ ଆନ୍ଦୋଳନ ହେବ ବୋଲି ମତ ଦେଇଛନ୍ତି। ଏସମ୍ପର୍କରେ ସିଏସ୍‌ଓ ଶ୍ରୀନିବାସ ସାହୁ କହିଛନ୍ତି, ଟୋକନକୁ ନେଇ କିଛି ସମସ୍ୟା ଥିବା ଅଭିଯୋଗ ଆସିନାହିଁ। ସମୟ ଅବଧି ମଧ୍ୟରେ ଚାଷୀଙ୍କଠାରୁ ଧାର୍ଯ୍ୟ ଲକ୍ଷ୍ୟର ଧାନ କ୍ରୟ ହେବ ବୋଲି ସେ ମତ ଦେଇଛନ୍ତି।

Share