ଚାଷୀଙ୍କ ବୀମାଭୁକ୍ତ ଅବଧି ୫ ପର୍ଯ୍ୟନ୍ତ ବଢ଼ିଲା

ଭୁବନେଶ୍ୱର,୩।୮(ବ୍ୟୁରୋ): ଚଳିତ ଖରିଫ୍‌ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କୁ ବୀମାଭୁକ୍ତ କରିବା ପାଇଁ ସମୟସୀମା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁ ଚାଷୀମାନେ ବୀମାଭୁକ୍ତ ହୋଇପାରି ନାହାନ୍ତି ସେମାନେ ତାଙ୍କ ଫସଲ ଲାଗି ଏହି ସମୟ ଭିତରେ ବୀମା ଭୁକ୍ତ କରିପାରିବେ। ଏହି ମର୍ମରେ ରବିବାର କେନ୍ଦ୍ର ସରକାରଙ୍କ କୃଷି ସମବାୟ ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଜୁଲାଇ ୩୧ ଶେଷ ତାରିଖ ଥିବାବେଳେ କରୋନା ଯୋଗୁ ଅନେକ ଚାଷୀ ବୀମାଭୁକ୍ତ ହୋଇ ପାରୁନାହାନ୍ତି। ଫଳରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିଆକର୍ଷଣ କରିବା ସହିତ ଏ ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୀମା ସମୟସୀମା ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି।
ଏହାସହ ମନ୍ତ୍ରୀ ସ୍ବାଇଁ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରି ସମୟସୀମା ବୃଦ୍ଧି ଲାଗି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ସେହି ଅନୁଯାୟୀ ଗତ ୩୦ ତାରିଖରେ ମୁଖ୍ୟ ଶାସନ ସଚିବ ଏବଂ ୩୧ରେ କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ କେନ୍ଦ୍ର ସରକାରଙ୍କୁ ସମୟସୀମା ବୃଦ୍ଧି ପାଇଁ ଅନୁରୋଧ କରି ପତ୍ର ଲେଖିଛନ୍ତି। ସମ୍ପୃକ୍ତ ବୀମା କମ୍ପାନୀ ଚାଷୀଙ୍କ ଠାରୁ ଦରଖାସ୍ତ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରବିବାରଠାରୁ ୫ ତାରିଖ ପର୍ଯ୍ୟନ୍ତ ବୀମା କମ୍ପାନୀଗୁଡିକ ସମସ୍ତ ଦରଖାସ୍ତ ଗ୍ରହଣ ପୂର୍ବକ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

Share