ବୀମା ସହାୟତା ନମିଳିଲେ ଚାଷୀ ଆନ୍ଦୋଳନ

ଲୋଇସିଂହା, ୨୯।୭(ଡି.ଏନ.ଏ.)
୨୦୧୯-୨୦ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା ମିଳିବା ଜାଣି ଚାଷୀ ଖୁସି ହୋଇଥିଲେ ା ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ପକ୍ଷରୁ ଗାଁମାନଙ୍କରେ ନୋଟିସ୍‌ ଜାରି ପରେ ଚାଷୀଙ୍କ ଉତ୍ସାହ ଭାଙ୍ଗିଯାଇଛି ା ଚାଷୀଙ୍କୁ ସହାୟତାରୁ ବଞ୍ଚତ୍ତ କରିବା ଉଦ୍ଦେଶ୍ୟରେ ବୀମା କମ୍ପାନୀ ଓ ଜିଲା ପ୍ରଶାସନର ମଧୁଚନ୍ଦ୍ରିକାରେ ଏପରି ନୋଟିସ୍‌କୁ ଚାଷୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ା ବୀମା ବେଳେ ଦିଆଯାଇଥିବା ସତ୍ୟପାଠ ବଳରେ ସହାୟତା ଦେବାକୁ ତହସିଲଦାରଙ୍କୁ ମଙ୍ଗଳବାର ଅନୁରୋଧ କରାଯାଇଛି ା ନଚେତ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦିଅଯାଇଛି। ଅଭିଯୋଗ ଅନୁସାରେ ଲୋଇସିଂହା ବ୍ଲକର ଚାଷୀମାନେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିଲେ। ସେତେବେଳେ ରୟଲ ସୁନ୍ଦରମ ବୀମା କମ୍ପାନୀ ଦେଇଥିବା ତଥ୍ୟ ଅନୁଯାୟୀ ଚାଷୀମାନେ ଖତିୟାନା କପି, ପ୍ଲଟ ନମ୍ବର, ସତ୍ୟପାଠ, ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବହି କପି ଇତ୍ୟାଦି ଦେଇ ଅନଲାଇନରେ ବୀମାଟଙ୍କା ପୈଠ କରିଥିଲେ ା ପଞ୍ଚାୟତ ଅନୁସାରେ ହୋଇଥିବା କ୍ଷତି ହିସାବରେ ଏବେ ଚାଷୀଙ୍କୁ ସହାୟତା ଦିଆଯିବା ା ହେଲେ ସସହାୟତା ରାଶି ବଣ୍ଟନ ପୂର୍ବରୁ ତହସିଲ ପକ୍ଷରୁ ଗତ ୧୪ ତାରିଖରେ ଯେଉଁ ଖତିୟାନ ପ୍ଲଟଗୁଡିକରେ ପରିବାରର ଏକାଧିକ ସଦସ୍ୟଙ୍କ ଦ୍ୱାରା ବୀମା କରାଯାଇଛି ସେମାନେ ସହମତି ଭିତ୍ତିରେ ଭାଗ କରି ପୁର୍ନବାର ସତ୍ୟପାଠ କରି ପଞ୍ଚାୟତସ୍ତରୀୟ କମିଟିର ସଦସ୍ୟଙ୍କଠାରେ କପି ଦାଖଲ କରିବାକୁ କୁହାଯାଇଛି। ନଚେତ ସହୟତା ପାଇବାରୁ ବଞ୍ଚତ୍ତ ହେବେ ବୋଲି ଉକ୍ତ ନୋଟିସ୍‌ରେ ଉଲ୍ଲେଖ କରାଯାଇଛି ା କରୋନା କଟକଣା ସମୟରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ସରକାରୀ ସଂକ୍ରାନ୍ତୀୟ ଅଭିଯୋଗ ଅନଲାଇନ ତଥା ହ୍ବାଟସ ଆପ ମାଧ୍ୟମରେ ଅଭିଯୋଗ କରିବାକୁ କୁହାଯାଇଛି। ଏଭଳି ସମୟରେ ଚାଷୀଙ୍କୁ ସତ୍ୟପାଠ କରି ଦାଖଲ କରିବା ପାଇଁ କୁହାଯିବା ଜିଲା ପ୍ରଶାସନର ଦୋମୁହାଁ ନୀତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।