ପାଟଣା,୭ା୨(ସ୍ବ. ପ୍ର.) କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ସମବାୟ ସମିତି ଅଧୀନ ଚେମେଣା ଶାଖା ସମିତି ମଣ୍ଡିରେ ଚାଷୀ ଧାନ ବିକ୍ରି କରି ନ ପାରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରବିବାର ୧୨୦ରୁ ଊଦ୍ଧର୍ବ ଚାଷୀ ୪୯ନଂ. ଜାତୀୟ ରାଜପଥର ଚେମେଣା ନିକଟରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିଲେ। ତୁରୁମୁଙ୍ଗା ଥାନା ଅଧିକାରୀ ମଦନ ମୋହନ ନାଏଜ ସଦଳବଳ ପହଞ୍ଚି ଉତ୍ତ୍ୟକ୍ତ ଚାଷୀଙ୍କୁ ବୁଝାଶୁଝା କରୁଥିବା ବେଳେ ଖବର ଲେଖା ଯିବା ପର୍ଯ୍ୟନ୍ତ ଚାଷୀମାନେ ଯିଦରେ ଅଟଳ ରହି ରାସ୍ତା ଅବରୋଧ ଜାରି ରଖିଛନ୍ତି। ଚେମେଣା ଶାଖା ସମବାୟ ସମିତି ମଣ୍ଡିକୁ ୪ ଦିନ ହେବ ଶତାଧିକ ଚାଷୀ ଧାନ ବିକ୍ରି କରିବା ପାଇଁ ଆଣିଥିଲେ। ବର୍ଷା କାକରରେ ସେମାନେ ରାତି ଉଜାଗର ହୋଇ ଜଗିବା ପରେ ମଧ୍ୟ ସମବାୟ ସମିତି କିମ୍ବା ଯୋଗାଣ ବିଭାଗର କୌଣସି କର୍ମକର୍ତ୍ତାଙ୍କ ଦେଖା ମିଳି ନ ଥିଲା। ଏନେଇ ଉତ୍ତ୍ୟକ୍ତ ଚାଷୀ ରାସ୍ତା ଅବରୋଧ କରିଥିଲେ। ୨୧ନଂ. ଜିଲା ପରିଷଦ ଜୋନର ଭାଜପା ପ୍ରାର୍ଥୀ ସତ୍ୟବ୍ରତ ନାଏକ, ବନୋଜ ନାୟକ ଓ କଂଗ୍ରେସ ନେତା ଗୋବିନ୍ଦ ମହାନ୍ତ ଚାଷୀଙ୍କ ସହ ଧାରଣାରେ ସାମିଲ ହୋଇଥିଲେ।