ଅନ୍ଧାରରେ ୩୦୦ ଛାତ୍ରୀଙ୍କ ଭାଗ୍ୟ

ବାଲିଆପାଳ,୪ା୭(ସ୍ବ.ପ୍ର): ସରକାର ମହିଳା ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ଏବେବି ବାଳିକା ଉଚ୍ଚ ବିଦ୍ୟାଳୟଗୁଡ଼ିକ ଅବହେଳିତ ଅବସ୍ଥାରେ ରହିଛି। ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲିବା ସହିତ ଶିକ୍ଷାକୁ ରାଜ୍ୟ ସରକାର ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ କରି ଶିକ୍ଷାର ବିକାଶ ପାଇଁ ଡିଣ୍ଡିମ ପିଟୁଛନ୍ତି। ହେଲେ ବାଳିକା ଉଚ୍ଚ ବିଦ୍ୟାଳୟଗୁଡ଼ିକ ବିକଶିତ ହୋଇ କେବେ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ହେବ ଏହାକୁ ନେଇ ଗାଁରୁ ସହର ସବୁଠି ଚର୍ଚ୍ଚା ଲାଗି ରହିଛି।
ବ୍ଲକର ମଧୁପୁରା ଗ୍ରାମ ପଞ୍ଚାୟତରେ ବାଲିଆପାଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅବସ୍ଥିତ। ଏହା ସରକାରଙ୍କ ଦୃଷ୍ଟି ଆଢୁଆଳରେ ଥାଇ ଦିନକୁ ଦିନ ଜରାଜୀର୍ଣ୍ଣ ହୋଇ ପିଲାଙ୍କର ଆକର୍ଷଣ ହରାଇବାରେ ଲାଗିଛି। ଭଙ୍ଗା ଆଜବେଷ୍ଟସ ଘରେ ୩୦୦ରୁ ଊଦ୍ଧର୍‌ବ ଛାତ୍ରୀ ବିପଦଜନକ ଅବସ୍ଥାରେ ପାଠ ପଢୁଥିବାରୁ ସେମାନଙ୍କ ଭାଗ୍ୟ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି। ୧୯୬୮ରୁ ସ୍ଥାପିତ ଏହି ବିଦ୍ୟାଳୟର ଆଜବେଷ୍ଟସ ଛପର ଘର ଏବେବି ଦୟନୀୟ ଅବସ୍ଥାରେ ରହିଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ, ପ୍ରଶାସନ କିମ୍ବା ଜନପ୍ରତିନିଧିଙ୍କ ନଜର ପଡୁ ନାହିଁ। ବିଦ୍ୟାଳୟଟି ଏବେ ସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ ରହିଛି। ଏହି ବିଦ୍ୟାଳୟ ୭/୮ଟି ପଞ୍ଚାୟତର କେନ୍ଦ୍ର ସ୍ଥଳରେ ଥିବାରୁ ପ୍ରତିବର୍ଷ ଶତାଧିକ ଛାତ୍ରୀ ନାମ ଲେଖାଇଥାନ୍ତି। ଶିକ୍ଷାଦାନ ନିମନ୍ତେ ମୋଟ୍‌ ୧୭ ଜଣ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ବିଦ୍ୟାଳୟରେ ନିଯୁକ୍ତ ଅଛନ୍ତି। ଭୌଗୋଳିକ ଦୃଷ୍ଟିକୋଣରୁ ଉକ୍ତ ବିଦ୍ୟାଳୟଟି ବାଲିଆପାଳ-ବସ୍ତା ମୁଖ୍ୟ ରାସ୍ତା ପାର୍ଶ୍ୱସ୍ଥ ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ଅବସ୍ଥିତ ହୋଇଥିଲେ ମଧ୍ୟ ଏହାର ଭିତ୍ତିଭୂମି ସୁଦୃଢ଼ ଦିଗରେ କୌଣସି ସରକାରୀ ଅଧିକାରୀଙ୍କ ଦୃଷ୍ଟି ପଡୁନାହଁି। ବିଗତ ବାତ୍ୟାରେ ଶ୍ରେଣୀଗୃହର ଆଜବେଷ୍ଟସ ଛପର ଅନେକ ସ୍ଥାନରେ ଭାଙ୍ଗିରୁଜି ଯାଇଛି। ସାମାନ୍ୟ ବର୍ଷା ହେଲେ ଶ୍ରେଣୀ ଗୃହରେ ବର୍ଷା ଜଳ ପଡ଼ିବା ଯୋଗୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଖେଳପଡ଼ିଆକୁ ବଜାରର ନାଳ ନର୍ଦ୍ଦମା ପାଣି ପଶି ଆସି କୃତ୍ରିମ ବନ୍ୟା ସୃଷ୍ଟି ହେଉଥିବାରୁ ଛାତ୍ରୀମାନେ ଖେଳିବାରୁ ବଞ୍ଚତ୍ତ ହେଉଛନ୍ତି। ତୁରନ୍ତ ନୂତନ ଶ୍ରେଣୀ ଗୃହ ନିର୍ମାଣ ଓ ଖେଳପଡ଼ିଆର ଉନ୍ନତିକରଣ କରା ନ ଗଲେ ଆନ୍ଦୋଳନ ହେବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି। ସମସ୍ୟା ସମ୍ପର୍କରେ ସ୍କୁଲ ପରିଚାଳନା କମିଟି ଚେୟାରମ୍ୟାନ କାଳୀଚରଣ ଜେନା ବିଧାୟକ ଓ ବିଇଓଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହଁି।
ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ସୁଲତା ପାତ୍ର କହନ୍ତି, ବିଭାଗୀୟ ଅଧିକାରୀ, ମନ୍ତ୍ରୀ, ବିଧାୟକ ଓ ଏମ୍‌ପିଙ୍କୁ ସମସ୍ୟା ସମ୍ବନ୍ଧୀୟ ବାରମ୍ବାର ଲିଖିତ ଅଭିଯୋଗ କରିଆସୁଥିଲେ ମଧ୍ୟ ଏଯାବତ୍‌ କୌଣସି ସମାଧାନ ହୋଇପାରି ନାହଁି।