୩୬,୫୪୮ ଭୋଟରଙ୍କ ହାତରେ ୮୬ ପ୍ରାର୍ଥୀଙ୍କ ଭାଗ୍ୟ

କେନ୍ଦ୍ରାପଡ଼ା ଅଫିସ, ୨୪ା୩: ଦୀର୍ଘ ୧୧ ବର୍ଷ ପରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପରିଷଦ ଗଠନ ପାଇଁ ଗୁରୁବାର ଭୋଟ ଗ୍ରହଣ ହେବ। ପୌରାଞ୍ଚଳର ୨୧ ୱାର୍ଡର ୩୬,୫୪୮ ଭୋଟର ଚଳିତ ନିର୍ବାଚନରେ ୮୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଚଳିତ ଥର ଅଧ୍ୟକ୍ଷା ଓ କାଉନସିଲର ପଦ ପାଇଁ ପ୍ରତ୍ୟେକ୍ଷ ଭାବେ ନିର୍ବାଚନ ହେଉଛି। ଅଧ୍ୟକ୍ଷା ପଦ ପାଇଁ ୪ ପ୍ରାର୍ଥୀ ରହିଥିବା ବେଳେ ୮୨ ପ୍ରାର୍ଥୀ ୨୧ଟି ୱାର୍ଡ କାଉନସିଲର ପଦ ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ବାଚନ ସୁପରିଚାଳନା ପ୍ରସ୍ତୁତି ଶେଷ ହୋଇଛି। କେନ୍ଦ୍ରାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟରୁ ବୁଥ୍‌ ଅଭିମୁଖେ କର୍ମଚାରୀ ବୁଧବାର ପୂର୍ବାହ୍ନରେ ବାହାରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି, ପୌରାଞ୍ଚଳ ନିର୍ବାଚନ ପାଇଁ ମୋଟ ୪୧ଟି ବୁଥ୍‌ ହୋଇଛି। ୧ ନଂ. ୱାର୍ଡ ପାଇଁ ଇଚ୍ଛାପୁର ପ୍ରାଥମିକ ବିଦ୍ୟାଳୟରେ ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପନ ହୋଇଛି। ସେହିପରି ୨ ନଂ. ୱାର୍ଡର ବଡବାରଙ୍ଗ ପ୍ରାଥମିକ ବିଦ୍ୟାଳୟ, ୩ ନଂ. ୱାର୍ଡର ତଳବାରଙ୍ଗ ପ୍ରକଳ୍ପ ବିଦ୍ୟାଳୟ, ୪ ନଂ. ୱାର୍ଡର ଅଯୋଦ୍ଧାନଗର ପ୍ରାଥମିକ ବିଦ୍ୟାଳୟ, ୫ ନଂ. ୱାର୍ଡର ଗୋପ ପ୍ରାଥମିକ ବିଦ୍ୟାଳୟ, ୬ ନଂ. ୱାର୍ଡର ବଳଦେବ ହାଇସ୍କୁଲ, ୭ ନଂ. ୱାର୍ଡର ମୀରପାଟଣା ପ୍ରାଥମିକ ବିଦ୍ୟାଳୟ, ୮ ନଂ. ୱାର୍ଡର ମନକରପୁର ପ୍ରାଥମିକ ବିଦ୍ୟାଳୟ, ୯ନଂ. ୱାର୍ଡର ବୁଢ଼ି ବିଳାଶୁଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୧୦ ନଂ. ୱାର୍ଡର ମଢ଼ିଆଳ ପ୍ରାଥମିକ ବିଦ୍ୟାଳୟ ଓ ୧୧ ନଂ. ୱାର୍ଡର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଭୋଟର ମତଦାନ କରିବେ। ଏଥିସହ ୧୨ ନଂ. ୱାର୍ଡର ସରକାରୀ ହାଇସ୍କୁଲ, ୧୩ ନଂ. ୱାର୍ଡର ପୌର ଯାତ୍ରୀ ନିବାସ, ୧୪ ନଂ. ୱାର୍ଡର ଉର୍ଦ୍ଦୁ ଲାଇବ୍ରେରୀ, ୧୫ ନଂ. ୱାର୍ଡର ଦିଲାରପୁର ପ୍ରାଥମିକ ବିଦ୍ୟାଳୟ, ୧୬ ନଂ. ୱାର୍ଡର ଫକିରାବାଦ ଉର୍ଦ୍ଦୁ ବିଦ୍ୟାଳୟ, ୧୭ ନଂ. ୱାର୍ଡର ବଡହାଟ ପ୍ରାଥମିକ ବିଦ୍ୟାଳୟ, ୧୮ ନଂ. ୱାର୍ଡର କାକଟ ସ୍କୁଲ, ୧୯ ନଂ. ୱାର୍ଡର ବଣିଆମାଳ ସ୍କୁଲ, ୨୦ ନଂ. ୱାର୍ଡର ମହିପାଳ ସ୍କୁଲ ଓ ୨୧ ନଂ. ୱାର୍ଡର ଭାରତୀ ବିଦ୍ୟା ମନ୍ଦିରରେ ଭୋଟ ଦାନ ପାଇଁ ବ୍ୟବସ୍ଥା ହୋଇଛି। ସମଗ୍ର ପୌରାଞ୍ଚଳକୁ ୭ଟି ସେକ୍ଟରରେ ବିଭକ୍ତ କରାଯାଇଛି। ଏହି ସେକ୍ଟରରେ ସେକ୍ଟର ଅଫିସର ଦାୟିତ୍ୱରେ ଅଛନ୍ତି। ପ୍ରତି ଭୋଟ କେନ୍ଦ୍ରରେ ଜଣେ ପ୍ରଜାଇଡିଂ ଅଫିସର, ୪ ପୋଲିଂ ଅଫିସର ଓ ଜଣେ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହାବ୍ୟତୀତ ୧୦ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ ହୋଇଥିବା ବେଳେ ସହର ମଧ୍ୟରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଆଇନଶୃଙ୍ଖଳା ପାଇଁ ସ୍ବତନ୍ତ୍ର ମାଜିଷ୍ଟ୍ରେଟ ଓ ଜିଲା ପୋଲିସର ମୋବାଇଲ ଟିମ୍‌ ନିୟୋଜିତ ହୋଇଛନ୍ତି। ସୂଚନାଯୋଗ୍ୟ, ପୌରାଞ୍ଚଳରେ ୨୦୧୧ରେ ପରିଷଦ ଗଠନ ପାଇଁ ନିର୍ବାଚନ ହୋଇଥିଲା। ୨୦୧୬ରେ ନିର୍ବାଚନ ପାଇଁ ଡ୍ରାଫ୍ଟ ତଲିକା ବାହାରି ଥିଲା। ତେବେ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ କାରଣ ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଜାନୁୟାରୀରେ ଏହି ନିର୍ବାଚନ ମାମଲାକୁ ଅଭିଯୋଗକାରୀ ପୂର୍ବତନ କାଉନସିଲର ମୁକ୍ତାର ଖାନ ଫେରାଇ ଆଣିଥିଲେ।