Categories: ଅନୁଗୋଳ

ଆଜି ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ ତାଲା

ଅନୁଗୋଳ ଅଫିସ/ ବଇଣ୍ଡା/ ଛେଣ୍ଡିପଦା,୨୬।୨(ଡି.ଏନ.ଏ.)- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ୨୬ ତାରିଖଠାରୁ ଆରମ୍ଭ ହେବ। ୨୮ ତାରିଖ ଯାଏ ଏହା ଚାଲିବାକୁ ଥିବାବେଳେ ଅନୁଗୋଳ ଜିଲାର ୮ ବ୍ଲକରେ ଉତ୍ସାହ ଦେଖାଦେଇଛି। ଭୋଟ ବାକ୍ସରେ ସିଲ୍‌ ହୋଇ ରହିଥିବା ପ୍ରାର୍ଥୀମାନଙ୍କ ଭାଗ୍ୟ ଖୋଲିବାକୁ ଯାଉଥିବାରୁ ଜିଲା ପରିଷଦଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରାର୍ଥୀମାନଙ୍କ ମନ ଅଥୟ ହୋଇଯାଉଛି। ପ୍ରଥମ ଦିନରେ ଜିଲାର ମୋଟ୍‌ ୨୮ଟି ଜୋନ୍‌ ମଧ୍ୟରୁ ୮ଟି ଜୋନ୍‌ ଓ ଏହା ଅଧୀନ ପଞ୍ଚାୟତଗୁଡ଼ିକର ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି।
ସକାଳ ୮ଟାରୁ ଏହି ଭୋଟ ଗଣତି ଆରମ୍ଭ ହେବ। ଅନୁଗୋଳ ବ୍ଲକ ପାଇଁ ଷ୍ଟ୍ରଙ୍ଗ୍‌ ରୁମ୍‌ କରାଯାଇଥିବା ପିଟିସି ହାଇସ୍କୁଲରେ ଏଥିପାଇଁ କାଉଣ୍ଟିଂ ହଲ୍‌ ପ୍ରସ୍ତୁତ ହୋଇ ରହିଛି। ଏଠାରେ ଅନୁଗୋଳ ବ୍ଲକରେ ଥିବା ୧ନଂ. ଜିଲା ପରିଷଦ ଜୋନ୍‌ ଓ ଏହା ଅଧୀନ ପଞ୍ଚାୟତଗୁଡ଼ିକର ଭୋଟ ଗଣତି କରାଯିବ। ସେହିପରି ଆଠମଲ୍ଲିକ ବ୍ଲକ୍‌ରେ ଥିବା ୫ନଂ. ଜିଲା ପରିଷଦ ଜୋନ୍‌ ଓ ଏହା ଅଧୀନ କମ୍ପଲା, କନ୍ଧପଡା, କିଆକଟା, କୁଦଗାଁ, ଲୁଣହାଣ୍ଡି, ମାଧପୁର, ପୁରୁଣାମାଣତ୍ରୀ, ଟୁସର ଓ ବାସୁଦେବପୁର ପଞ୍ଚାୟତର ଭୋଟ ଗଣତି ଷ୍ଟ୍ରଙ୍ଗ୍‌ ରୁମ୍‌ ହୋଇଥିବା ଆଠମଲ୍ଲିକ କଲେଜଠାରେ କରାଯିବ। କଣିହଁା ବ୍ଲକରେ ଥିବା ୮ନଂ. ଜିଲା ପରିଷଦ ଜୋନ୍‌ ଓ ଏହା ଅଧୀନ ପଞ୍ଚାୟତଗୁଡ଼ିକର ଭୋଟ ଗଣତି ଷ୍ଟ୍ରଙ୍ଗ୍‌ ରୁମ୍‌ ହୋଇଥିବା ବ୍ଲକ କାର୍ଯ୍ୟାଳୟ ପରିସରରେ କରାଯିବ। କିଶୋରନଗର ବ୍ଲକରେ ଥିବା ୧୧ନଂ. ଜିଲା ପରିଷଦ ଜୋନ୍‌ ଓ ଏହା ଅଧୀନ ଧଉରାପାଲି, ବାମୁର, ରଣିଆକଟା, ଜଏରାଟ, ହିମିତିରା, କଦଳୀମୁଣ୍ଡା ଓ ଓସ୍କାପାଲି ପଞ୍ଚାୟତର ଭୋଟ ଗଣତି ଷ୍ଟ୍ରଙ୍ଗ୍‌ ରୁମ୍‌ ହୋଇଥିବା କିଶୋରନଗର କଲେଜଠାରେ କରାଯିବ। ଛେଣ୍ଡିପଦା ବ୍ଲକ୍‌ରେ ଥିବା ୧୪ନଂ. ଜିଲା ପରିଷଦ ଜୋନ୍‌ ଓ ଏହା ଅଧୀନ ବାଗଡିଆ, ବରସାହି, ନୂଆଗାଁ, କଣଲୋଇ, ପାଟକୁମୁଣ୍ଡା, ପାତ୍ରପଡା ଓ ଟଙ୍ଗିରୀ ପଞ୍ଚାୟତର ଭୋଟ ଗଣତି ଷ୍ଟ୍ରଙ୍ଗ୍‌ ରୁମ୍‌ ହୋଇଥିବା ବାପୁଜୀ କଲେଜଠାରେ ହେବ। ତାଳଚେର ବ୍ଲକରେ ଥିବା ୧୮ନଂ. ଜିଲା ପରିଷଦ ଜୋନ୍‌ ଓ ଏହା ଅଧୀନ ପଞ୍ଚାୟତଗୁଡ଼ିକର ଭୋଟ ଗଣତି ଷ୍ଟ୍ରଙ୍ଗ୍‌ ରୁମ୍‌ ହୋଇଥିବା ବ୍ଲକ କାର୍ଯ୍ୟାଳୟରେ କରାଯିବ। ପାଲଲହଡ଼ା ବ୍ଲକରେ ଥିବା ୨୨ନଂ. ଜିଲା ପରିଷଦ ଜୋନ୍‌ ଓ ଏହା ଅଧୀନ ପଞ୍ଚାୟତଗୁଡ଼ିକର ଭୋଟ ଗଣତି ଷ୍ଟ୍ରଙ୍ଗ୍‌ ରୁମ୍‌ ହୋଇଥିବା ମହତାବ ହାଇସ୍କୁଲ ପରିସରରେ ହେବ। ବଅଁରପାଳ ବ୍ଲକରେ ଥିବା ୨୫ନଂ. ଜିଲା ପରିଷଦ ଜୋନ୍‌ ଓ ଏହା ଅଧୀନ ପଞ୍ଚାୟତଗୁଡ଼ିକର ଭୋଟ ଗଣତି ଷ୍ଟ୍ରଙ୍ଗ୍‌ ରୁମ୍‌ ହୋଇଥିବା ବ୍ଲକ କାର୍ଯ୍ୟାଳୟ ପରିସରରେ ହେବ। ପ୍ରଥମେ ଓ୍ବାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଶେଷରେ ଜିଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା କରାଯିବ। ଏଥିପାଇଁ ଜିଲାରେ ମୋଟ୍‌ ୬ଶହ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ୨ ଦିନ ଧରି ଟ୍ରେନିଂ ମଧ୍ୟ ଦିଆଯାଇସାରିଛି। ପ୍ରତି କାଉଣ୍ଟିଂ ହଲ୍‌ରେ ୧୦ଟି ଲେଖାଏ ଟେବୁଲ ବ୍ୟବସ୍ଥା କରାଯାଇଛି। ଜଣେ କାଉଣ୍ଟିଂ ସୁପରଭାଇଜର, ୨ଜଣ ସହଯୋଗୀ କାଉଣ୍ଟିଂ ସୁପରଭାଇଜର, ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଓ ଜଣେ ଲେଖାଏ ଗେଜେଟେଡ୍‌ ଅଫିସର ପ୍ରତି ଟେବୁଲ ଦାୟିତ୍ୱରେ ରହିବେ। ସେହିପରି ପ୍ରାର୍ଥୀମାନଙ୍କ ଜଣେ ଲେଖାଏ ଏଜେଣ୍ଟ ମଧ୍ୟ ହଲ୍‌ ମଧ୍ୟରେ ଉପସ୍ଥିତ ରହିବେ। ସୁରକ୍ଷା ବ୍ୟବସ୍ଥା ପାଇଁ ଜିଲାରେ ମୋଟ୍‌ ୧୬୦ ପୋଲିସ ଅଫିସର ଓ ୧୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ପ୍ରତି କାଉଣ୍ଟିଂ ସେଣ୍ଟର ସୁରକ୍ଷାରେ ୨୦ ଜଣ ପୋଲିସ ଅଫିସର, ୨ ପ୍ଲାଟୁନ ଫୋର୍ସ ରହିବେ। ଏସ୍‌ଡିପିଓ ତଥା ଡିଏସ୍‌ପି ସ୍ତରୀୟ ଅଧିକାରୀ ତଦାରଖ କରିବେ। ମୋବାଇଲ୍‌ ସ୍କ୍ବାଡ୍‌ ଉକ୍ତ ଅଞ୍ଚଳରେ ପଇଁତରା ମାରିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଫଟୋ- ଅନୁଗୋଳ ବ୍ଲକ ପିଟିସି ହାଇସ୍କୁଲଠାରେ ଭୋଟ ଗଣତି ପାଇଁ ଟେବୁଲ ପ୍ରସ୍ତୁତ।