ବାପା ଡାକ ଶୁଣିପାରିଲେନି, ଆଙ୍ଗୁଠି ଦେଖି ଚିହ୍ନିଲେ ସ୍ତ୍ରୀ

ଭୁବନେଶ୍ୱର,୬।୬(ବ୍ୟୁରୋ): ଝିଅକୁ ୨୧ ମାସ। ଆଉ କେଇଟା ଦିନରେ ବାପା ବାପା ବୋଲି ଡାକିଥାନ୍ତା ସୁକନ୍ୟା। କିନ୍ତୁ ବାପ ଡାକ ଶୁଣିବା ପୂର୍ବରୁ ଟ୍ରେନ୍‌ ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ ବାପା କାର୍ତ୍ତିକ। ଝିଅକୁ କାଖରେ ଧରି ୨ଦିନ ହେଲା ସ୍ବାମୀଙ୍କ ମୃତଦେହ ଖୋଜୁଥିଲେ ସ୍ତ୍ରୀ ରମାରାଣୀ ବେହେରା। ବାରମ୍ବାର ଫଟୋ ଦେଖି ମୃତଦେହ ଚିହ୍ନଟ କରିବା କଷ୍ଟକର ହୋଇପଡିଥିଲା। ହେଲେ ଏମ୍‌ସ୍‌ରେ କଣ୍ଟେନର ଭିତରେ ଥିବା ଏକ ମୃତଦେହର ବାମ ଗୋଡ଼ ଆଙ୍ଗୁଠିକୁ ଦେଖି ସ୍ବାମୀଙ୍କୁ ଚିହ୍ନି ପାରିଥିଲେ ସେ। ସ୍ବାମୀଙ୍କୁ ସିନା ଚିହ୍ନିଲେ ହେଲେ ଆଉ ବାପା ଡାକ ଶୁଣିପାରିବନି କହି ଝିଅକୁ କୋଳେଇ ବୁକୁଫଟାଇ କାନ୍ଦୁଥିଲେ ସେ। ତାଙ୍କ ସହ ଆସିଥିବା ଶ୍ୱଶୁର ମଧ୍ୟ ନିଜ ପୁଅକୁ ହରାଇ କୋହ ସମ୍ଭାଳି ପାରୁ ନ ଥିଲେ। ତାଙ୍କ କହିବାନୁସାରେ, ବାଲେଶ୍ୱରର କାର୍ତ୍ତିକ ବେଙ୍ଗାଲୁରୁର ଏକ ହୋଟେଲରେ କାମ କରନ୍ତି। ସେ ୟଶୋବନ୍ତ-ହାଓଡା ଏକ୍ସପ୍ରେସରେ ଘରକୁ ଆସୁଥିଲେ। ୧୫ ମିନିଟ ପରେ ବାଲେଶ୍ୱର ଷ୍ଟେଶନରେ ଓହ୍ଲାଇଥାଆନ୍ତେ। ହେଲେ ଏହାପୂର୍ବରୁ ଟ୍ରେନ ଦୁର୍ଘଟଣାରେ କାର୍ତ୍ତିକଙ୍କ ଜୀବନ ଚାଲିଗଲା। ଦୁର୍ଘଟଣା କଥା ଜାଣିବା ପରେ ପ୍ରଥମେ ରମାମଣୀ ବାଲେଶ୍ୱର, କଟକ ଓ ପରେ ଭୁବନେଶ୍ୱର ଆସି ସବୁ ଡାକ୍ତରଖାନା ବୁଲି ବୁଲି ନୟାନ୍ତ ହୋଇଥିଲେ। ସ୍ବାମୀଙ୍କ ଖୋଜଖବର ପାଇ ନ ଥିଲେ। ମଙ୍ଗଳବାର ଅପରାହ୍ନରେ ଏମ୍‌ସରେ ଥିବା କଣ୍ଟେନରରେ ଥିବା ମୃତ ସ୍ବାମୀଙ୍କ ଗୋଡର ଅସ୍ବାଭାବିକ ଆଙ୍ଗୁଠି ଦେଖି ଚିହ୍ନି ପାରିଥିଲେ। ହେଲେ ଡିଏନ୍‌ଏ ରିପୋର୍ଟ ଆସିବା ପରେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

Share