ମୁହଁ ଦେଖାରେ ବୋହୂଙ୍କୁ ଏମିତି ଉପହାର ଦେଇ ଉଦାହରଣ ସୃଷ୍ଟି କଲେ ଶ୍ୱଶୁର

ଜୟପୁର,୨୧।୨:ରାଜସ୍ଥାନର ସିକର ଜିଲାର ନିମ୍‌କା ଥାନା ଅଞ୍ଚଳରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏକ ବିବାହରେ ବରର ପିତା ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। କନ୍ୟା ଘରୁ କୌଣସି ଯୌତୁକ ନ ଆଣିବା ସହ ମୁହଁ ଦେଖାରେ କନ୍ୟାଙ୍କୁ ସେ ୧୪ ଲକ୍ଷ ଟଙ୍କାର ଏକ କାର୍‌ ଉପହାରସ୍ବରୂପ ଦେଇଛନ୍ତି।
ସୂଚନାନୁସାରେ, ନିମକା ଥାନା ସବଡିଭିଜନର ଅଗ୍ରୱାଡି ଗାଁର ବାସିନ୍ଦା ଅର୍ଜୁନଲାଲ ଚାନ୍ଦେଲିଆଙ୍କ ସାନପୁଅ ବିକାଶ ନିମକା ଥାନା ସବଡିଭିଜନର କୌରବାଲି ଗାଁର ଓମ ପ୍ରକାଶ ବୁଡାନିଆର ଝିଅ ନିର୍‌ମାଙ୍କୁ ବିବାହ କରିଛନ୍ତି। ପୁଅ ବିକାଶ ଜମ୍ମୁରେ ଭାରତୀୟ ସେନାରେ ଚାକିରି କରିଛନ୍ତି। ନିର୍‌ମା ଜଣେ ଶିକ୍ଷୟତ୍ରୀ। ବିକାଶ ଫେବୃୟାରୀ ୧୮ରେ ବିବାହ କରିଥିଲେ। ଅର୍ଜୁନଲାଲ ଚାନ୍ଦେଲିଆ ନିଜେ ଭାରତୀୟ ସେନାର ପୂର୍ବତନ ମାନ୍ୟବର କ୍ୟାପଟେନ ଭାବରେ କାର୍ଯ୍ୟ କରିଛନ୍ତି।
ପୁଅର ବିବାହରେ ଯୌତୁକ ନ ନେଇ ଅର୍ଜୁନ ଚାନ୍ଦେଲିଆ ସମାଜକୁ ଏକ ଭିନ୍ନ ବାର୍ତ୍ତା ଦେଇଥିଲେ। ଏହା ଦେଖି ଆଖପାଖର ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଲୋକମାନେ ଏହି ନୂତନ ଧାରାକୁ ପ୍ରଶଂସା କରୁଛନ୍ତି।

Share