୯ ମାସର ଝିଅକୁ ଧରି ନଦୀକୁ ଡେଇଁଲେ ବାପା

ଫୁଲନଖରା,୧୪ା୮(ସତ୍ୟରଞ୍ଜନ ଦାସମହାପାତ୍ର): ପାରିବାରିକ ବିବାଦକୁ କେନ୍ଦ୍ର କରି କଟକ ଜିଲା ସଦର ଥାନା ଅଧୀନ ସଇଁନ୍ଦା ଗ୍ରାମ ନିକଟ ସିଢୁଆ ନଦୀରେ ରବିବାର ମଧ୍ୟାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସମ୍ମୁଖରେ ୯ ମାସର ଶିଶୁକନ୍ୟାଙ୍କୁୁ ଧରି ଜଣେ ଯୁବକ ନଦୀକୁ ଡେଇଁପଡିଛନ୍ତି। ଏହା ଦେଖି ଯୁବକଙ୍କ ସ୍ତ୍ରୀ ମଧ୍ୟ ନଦୀକୁ ଡେଇଁ ପଡ଼ିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ନଦୀରୁ ଶିଶୁକନ୍ୟା ଏବଂ ତାଙ୍କ ମା’ଙ୍କୁ ଉଦ୍ଧାର କରାଯାଇଥିବାବେଳେ ବାପା ନିଖୋଜ ଅଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କନ୍ଦରପୁର ଥାନା ଅନ୍ତର୍ଗତ ଦଣ୍ଡୁଆସିପଡ଼ା ଗ୍ରାମର ପ୍ରକାଶ ଚନ୍ଦ୍ର ପ୍ରଧାନ ପ୍ରାୟ ଦେଢବର୍ଷ ହେବ ଶ୍ୱଶୁର ଘର କଟକ ସଦର ଥାନା ଅଧୀନ ସୁମାଣ୍ଡି ଗ୍ରାମରେ ସ୍ତ୍ରୀ ଦୀପାଳି, ବଡ଼ଝିଅ ମାମୁନୁ(୫) ଓ ୯ ମାସର ସାନଝିଅ ସହିତ ରହୁଥିଲେ। ସେ ଚାଉଳିଆଗଞ୍ଜ ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟ କରୁଥିଲେ। ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାରିବାରିକ କଳହ ଲାଗି ରହୁଥିଲା। ଶନିବାର ରାତିରେ ପ୍ରକାଶଙ୍କ ସାନଝିଅ ଜରି ଖାଇ ଦେଇଥିଲେ। ଏ ସମ୍ପର୍କରେ ପ୍ରକାଶ ଜାଣିବା ପରେ ଦୀପାଳିଙ୍କୁ ପାଟି କରିଥିଲେ। ତୁମେ ଘରେ ଥିବାବେଳେ ଝିଅ ଜରି କିପରି ଖାଇଲା ବୋଲି ପଚାରିଥିଲେ। ଏହାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୀପାଳିଙ୍କୁ ପ୍ରକାଶ ମାଡ଼ ମାରିଥିବା ଶାଶୁ ସୁଲୋଚନା ଜେନା କହିଛନ୍ତି। ରବିବାର ପୂର୍ବାହ୍ନରେ ଦୀପାଳି ଓ ସାନଝିଅ ସହ ପ୍ରକାଶ ନିକଟସ୍ଥ ମନ୍ଦିରକୁ ଆସିଥିଲେ। ପରେ ସେମାନେ ନିକଟସ୍ଥ ସିଢ଼ୁଆ ନଦୀକୂଳକୁ ଯାଇଥିଲେ। ହେଲେ ହଠାତ୍‌ ଦୀପାଳିଙ୍କ ସମ୍ମୁଖରେ ଶିଶୁକନ୍ୟାଙ୍କୁ ଧରି ପ୍ରକାଶ ନଦୀକୁ ଡେଇଁପଡିଥିଲେ। ଏହା ଦେଖି ଦୀପାଳି ଚିତ୍କାର କରିବା ସହ ନଦୀକୁ ମଧ୍ୟ ଡେଇଁପଡିଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। କିଛି ସମୟ ପରେ ଶିଶୁକନ୍ୟାଙ୍କୁୁ ମଧ୍ୟ ପାଣିରୁ ଉଦ୍ଧାର କରାଯାଇଥିଲା। ହେଲେ ପ୍ରକାଶ ପାଣିର ସ୍ରୋତରେ ନିଖୋଜ ହୋଇଯାଇଛନ୍ତି। ଖବରପାଇ ସ୍ଥାନୀୟ ପୋଲିସ ପହଞ୍ଚତ୍ ବାରଙ୍ଗ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଦୀର୍ଘ ସମୟ ଧରି ପାଣିରେ ଖୋଜାଖୋଜି କରିଥିଲେ ପ୍ରକାଶଙ୍କୁ ପାଇ ନ ଥିଲେ। ଏ ସମ୍ପର୍କରେ ଅଗ୍ନିଶମ ଅଧିକାରୀ ସୁଶାନ୍ତ କୁମାର ସାହୁ କହିଛନ୍ତି, ରବିବାର ସନ୍ଧ୍ୟା ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି। ସୋମବାର ପୁଣି ଉଦ୍ଧାର କାର୍ଯ୍ୟ ଜାରିରହିବ। ଅପରପକ୍ଷରେ ଶିଶୁକନ୍ୟାଙ୍କୁ ଚିକିତ୍ସା ପାଇଁ କଟକ ଶିଶୁଭବନରେ ଭର୍ତ୍ତି କରାଯାଇଛି। ଏନେଇ ଶିଶୁଭବନ ଅଧୀକ୍ଷକ ପି.କେ. ଜେନା କହିଛନ୍ତି, ଶିଶୁକନ୍ୟାର ଚିକିତ୍ସା କରାଯାଉଥିବାବେଳେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

Share