ରାସ୍ତାରେ ପୁଅକୁ ଛାଡ଼ି ପଳାଇଲେ ମା’ ବାପା

ସୋର, ୨୨।୩(ଡି.ଏନ.ଏ.): ମା’ ବାପା ସହ ବାଇକରେ ଯାଉଥିଲେ ନାବାଳକ ପୁଅ। ହେଲେ ରାସ୍ତାରେ ଦମ୍ପତିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଶେଷରେ ନିଜର ପୁଅକୁ ରାତି ଅଧରେ ରାସ୍ତା ଉପରେ ଛାଡି ମା’ ବାପା ନିଜ ନିଜ ବାଟରେ ଚାଲିଗଲେ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ଛକ ନିକଟରେ। ନାବାଳକ ଜଣକ ନିରୁପାୟ ହୋଇ ଏଣେତେଣେ କାନ୍ଦି ବୁଲୁଥିବା ବେଳେ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ସୋର ଥାନା ଏଏସ୍‌ଆଇ କେଶବ ବେଶ୍ରା ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରି ଖଇରା ଚାଇଲ୍ଡଲାଇନ୍‌କୁ ହସ୍ତାନ୍ତର କରିଛନ୍ତି।
ପ୍ରଥମେ ବାପା ମା’ ଓ ପୁଅକୁ ଛାଡି କେଉଁଆଡେ ଚାଲିଯାଇଥିଲେ। ପରେ ମହିଳାଜଣକ ଅନ୍ୟ ଏକ ବାଇକରେ କେଉଁଆଡ଼େ ପଳାଇ ଯାଇଥିଲେ। ନାବାଳକଜଣକ ପୋଲିସକୁ ପରିଚୟ କହିପାରୁ ନ ଥିବାରୁ ଖଇରା ଚାଇଲ୍ଡଲାଇନକୁ ଖବର ଦିଆଯାଇଥିଲା। ମଙ୍ଗଳବାର ସକାଳେ ଖଇରା ଚାଇଲ୍ଡଲାଇନ ସଦସ୍ୟ ପଞ୍ଚାନନ ତ୍ରିପାଠୀ ଏବଂ ଜ୍ୟୋତି ପ୍ରକାଶ କର ନାବାଳକଙ୍କୁ ନେଇ ବାଲେଶ୍ୱର ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛନ୍ତି।