ବ୍ରହ୍ମପୁର ଅଫିସ,୫ା୨: ଗଞ୍ଜାମ ଜିଲାରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ବଡ଼ବଜାର ଥାନା ଅଞ୍ଚଳର ଜଣେ ସାତ ବର୍ଷ ନାବାଳିକାଙ୍କୁ ତାଙ୍କ ବାପା ବଳାତ୍କାର କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଏକ ଘଟଣା ଜଣାପଡିବା ପରେ ସ୍ଥାନୀୟ ଲୋକ ସେଠାରେ ଜମା ହୋଇଯାଇଥିଲେ। ଲୋକମାନଙ୍କୁ ଦେଖି ଅଭିଯୁକ୍ତ ଜଣଙ୍କ ସେ ପିନ୍ଧିଥିବା ଏକ ପଇତା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ପୋଲିସ କହିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପୋଲିସ ଉଦ୍ଧାର କରି ଏମ୍କେସିଜି ମେଡିକାଲରେ ଭର୍ତ୍ତି କରିଛି । ପୋଲିସ ସେଠାରେ ତାଙ୍କୁ ଜଗି ରହିଛି ବୋଲି ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଗୁରୁବାର ସୂଚନା ଦେଇଛନ୍ତି। ସେହିପରି ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି ବୋଲି ପୋଲିସ କହିଛି।
ପୋଲିସ ଏନେଇ ନଂ. ୩୮/୨୧ରେ ମାମଲା ରୁଜୁ କରିଛି। ବଡ଼ ମେଡିକାଲରେ ଚିକିତ୍ସା ହେଉଥିବା ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଲେ ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।