ପୁଅ ଧର୍ମ ପରିବର୍ତ୍ତନ କରିଥିବାରୁ ବାପା ମୃତଦେହକୁ ଶ୍ମଶାନ ମନା

ଉମରକୋଟ,୧୭ା୬(ସନ୍ତୋଷ ଶତପଥୀ)ପୁଅ କରିଥିଲା ଧର୍ମ ପରିବର୍ତ୍ତନ। ତେଣୁ ତାଙ୍କ ବାପାଙ୍କ ମୃତ୍ୟୁ ପରେ ହିନ୍ଦୁ ଶ୍ମଶାନରେ ସତ୍କାର କରିବାକୁ ମିଳିଲାନି ଅନୁମତି। ଏପରି ଏକ ସମ୍ବେଦନଶୀଳ ଘଟଣା ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଧୀନ ବେହେଡ଼ା ପଞ୍ଚାୟତ ସିଉନାଗୁଡ଼ା ଗ୍ରାମରେ ଶୁକ୍ରବାର ଦେଖିବାକୁ ମିଳିଥିଲା। ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ। ବୁର୍ଜା ଗ୍ରାମ ନିକଟ ଏକ ସ୍ଥାନରେ ମୃତଦେହ ସତ୍କାର କରାଯିବ ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନାନୁଯାୟୀ, ଉମରକୋଟ ଥାନା ଅଧୀନ ସିଉନାଗୁଡ଼ା ଗ୍ରାମର ଡମୁ ସାନ୍ତା(୫୫)ଙ୍କର ଶୁକ୍ରବାର ସକାଳେ ମୃତ୍ୟୁ ହୋଇଥିଲା। ମୃତକଙ୍କ ସାନପୁଅ ହିନ୍ଦୁ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିଲେ। ଡମୁ ସାନପୁଅଙ୍କ ନିକଟରେ ରହୁଥିଲେ। ତେଣୁ ତାଙ୍କ ମୃତ୍ୟୁପରେ ଗ୍ରାମବାସୀ ଡମୁଙ୍କ ମୃତଦେହକୁ ହିନ୍ଦୁ ଶ୍ମଶାନରେ ସତ୍କାର କରିବା ସୁଯୋଗ ଦେଇ ନ ଥିଲେ। ଖବର ସଂଗ୍ରହ କରିବାକୁ ଖବରଦାତାମାନେ ସେଠାକୁ ଯାଇଥିଲେ ମଧ୍ୟ ଗ୍ରାମବାସୀ ତାଙ୍କୁ ଗାଁ ଭିତରେ ପୂରାଇ ଦେଇ ନ ଥିଲେ। ଆପୋସ ବୁଝାମଣାରେ ଘଟଣା ସମାଧାନ କରାଯିବ କହି ଗ୍ରାମବାସୀ ଖବରଦାତାଙ୍କୁ ଫେରାଇ ଦେଇଥିଲେ। ତେବେ ଅପରାହ୍ନ ୪ଟା ସୁଦ୍ଧା ଘଟଣାର କୌଣସି ସମାଧାନ ନ ହେବାରୁ ମୃତକଙ୍କ ପରିବାର ଲୋକେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଉମରକୋଟ ଥାନା କର୍ମଚାରୀ ଓ ତହସିଲଦାର ତୁଳା ମୁଦୁଲି ସିଉନାଗୁଡା ଗ୍ରାମରେ ପହଞ୍ଚତ୍ଥିଲେ। ସେମାନେ ସେମାନେ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ। ବୁର୍ଜା ଗାଁ ନିକଟ ଏକ ସ୍ଥାନରେ ରାତି ଭିତରେ ମୃତଦେହ ସତ୍କାର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଉମରକୋଟ ଥାନା ଅଧୀନରେ ଏଥିପୂର୍ବରୁ ଅନୁରୂପ ୨ଟି ଘଟଣା ଘଟିଥିବା ବେଳେ ଏହା ତୃତୀୟ ଘଟଣା।

Share