୧୮ହଜାର ଟଙ୍କାରେ ପୁଅକୁ ବିକିଲେ ବାପା

ବାସୁଦେବପୁର, ୨୩ା୩ (ଡି.ଏନ୍‌.ଏ.):୧୮ହଜାର ଟଙ୍କାରେ ୨ବର୍ଷର ପୁଅକୁ ବିକ୍ରି କରିଦେଇଛନ୍ତି ବାପା। ଏ ସମ୍ପର୍କରେ ଶିଶୁପୁତ୍ରର ମା’ ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବେତଡ଼ା ନିକଟ ଚନ୍ଦନପୁର ଗ୍ରାମରେ ଏଭଳି ଶିଶୁ ବିକ୍ରି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଶିଶୁପୁତ୍ରକୁ ବୁଧବାର ପୋଲିସ ଉଦ୍ଧାର କରି ସିଡବ୍ଲ୍ୟୁସିରେ ଜିମା ଦେଇଛି।
ସୂଚନା ଅନୁଯାୟୀ, ଉକ୍ତ ଶିଶୁପୁତ୍ରଙ୍କୁ ତାଙ୍କ ବାପା ରାଜେନ୍ଦ୍ର କୁମାର ଦାସ ୧୮ ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ମା’ ସୀମାରାଣୀ ଦାସ ବାସୁଦେବପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଶିଶୁପୁତ୍ରଙ୍କୁ ଉଦ୍ଧାର ପାଇଁ ପ୍ରଥମେ ସିମୁଳିଆ ଥାନା ଅଧୀନ ବାଟି ଗ୍ରାମର ନବ ବେହେରାଙ୍କ ଘରକୁ ଯାଇଥିଲେ। ସେଠାରେ ଶିଶୁପୁତ୍ରଙ୍କୁ ନ ପାଇ ପରେ ସୋର ଥାନା ଅଧୀନ ବିଲବାଙ୍କିଆ ଗ୍ରାମର ଶତ୍ରୁଘ୍ନ ବେହେରାଙ୍କ ଘରୁ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାରେ ପୋଲିସ ଶିଶୁପୁତ୍ରଙ୍କ ମା’ ଓ ବାପାଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଚଳାଇଛି। ଶିଶୁପୁତ୍ରଙ୍କୁ ଜିଲା ସିଡବ୍ଲ୍ୟୁସିରେ ହାଜର ପାଇଁ ପୋଲିସ ତାଙ୍କ ମା’ବାପାଙ୍କ ସହ ଭଦ୍ରକ ନେଇଛି। ଏ ସମ୍ପର୍କରେ ବାସୁଦେବପୁର ଥାନା ଆଇଆଇସି ସାବିତ୍ରୀ ପଣ୍ଡାଙ୍କୁ ପଚାରିବାରୁ ଶିଶୁପୁତ୍ର ବିକ୍ରି ଘଟଣାରେ ମା’ ସୀମାରାଣୀଙ୍କ ଅଭିଯୋଗକ୍ରମେ ଥାନାରେ ମାମଲା (ନଂ.୧୫୩/୨୩) ରୁଜୁ ହେବା ସହ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ରାଜେନ୍ଦ୍ର ଓ ସୀମାରାଣୀ ୭ ବର୍ଷ ତଳେ ବିବାହ କରିଥିଲେ। ହେଲେ ଗତ କିଛିଦିନ ଧରି ସେମାନଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଭଲ ନ ଥିଲା। ୧୫ଦିନ ତଳେ ସୀମାରାଣୀ ତାଙ୍କ ୨ବର୍ଷର ଶିଶୁପୁତ୍ରଙ୍କୁ ଘରେ ଛାଡ଼ି ବାପଘରକୁ ପଳାଇ ଯାଇଥିଲେ। ରାଜେନ୍ଦ୍ର ଶିଶୁପୁତ୍ରର ଲାଳନପାଳନ ପାଇଁ ଗ୍ରାମ ନିକଟ ଜଣେ ସମ୍ପର୍କୀୟ ମହିଳାଙ୍କୁ ଜିମା ଦେଇଥିଲେ। ପରେ ସମ୍ପୃକ୍ତ ମହିଳା ଓ ରାଜେନ୍ଦ୍ରଙ୍କ ପରାମର୍ଶକ୍ରମେ ସିମୁଳିଆ ବାଟି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରକୁ ପିଲାକୁ ପଠାଇ ଦେଇଥିଲେ। ସେଠାରୁ ପୁଣି ଏହି ପିଲାକୁ ସୋର ଥାନା ଅଧୀନ ବିଲବାଙ୍କିଆ ଗ୍ରାମର ଜଣେ ବ୍ୟକ୍ତି ନେଇଯାଇଥିଲେ। ଏହି ଘଟଣାରେ ଆର୍ଥିକ କାରବାର ସମ୍ପର୍କରେ ପୋଲିସ ତଦନ୍ତ ଚଳାଇଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ପଣ୍ଡା କହିଛନ୍ତି। ପ୍ରକାଶଯୋଗ୍ୟ, ସୀମାରାଣୀଙ୍କ ଆଉ ଏକ ୪ ବର୍ଷର ପୁଅ ଅଛି।