ଅଟୋ ତଳେ ଚାପିହୋଇ ଚାଲିଗଲା ବାପାଙ୍କ ଜୀବନ, ପୁଅ ଗୁରୁତର

ଆସିକା,୧୫ା୯ (ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା କୋଟିନଡା ଥାନା ଅନ୍ତର୍ଗତ ଭେଟନଈ-ଭେଜିପୁଟ ରାସ୍ତାରେ ଏକ ଅଟୋ ରିକ୍ସା ଓଲଟି ପଡିଥିଲା। ଏଥିରେ ଅଟୋ ଚାଳକ ଯୁଧିଷ୍ଠିର ପାତ୍ର (୫୮)ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ରାକେଶ କୁମାର ପାତ୍ର ଗୁରୁତର ଆହତ ହୋଇଛନ୍ତି। ସେମାନେ ନୟାଗଡ ଜିଲା ଓଡଗାଁ ଥାନା ଅନ୍ତର୍ଗତ କୁରାଳ ଗ୍ରାମର ବୋଲି ଜଣାପଡିଛି। ବ୍ରହ୍ମପୁରରୁ ବଜାର କାମ ସାରି ବାପ-ପୁଅ ଅଟୋରେ ଫେରୁଥିଲେ। ଦ୍ରୁତଗତି ଯୋଗୁ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ ଚାଷଜମିକୁ ଓଲଟି ପଡିଥିଲା। ଫଳରେ ଅଟୋ ତଳେ ଚାପି ହୋଇ ଯୁଧିଷ୍ଠିରଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ରାକେଶ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ସ୍ଥାନୀୟ ଲୋକେ ଆସିକା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଯୁଧିଷ୍ଠିରଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଘଟଣା ସମ୍ପର୍କରେ ଆହତ ରାକେଶ କୋଟିନଡା ଥାନାରେ ଶୁକ୍ରବାର ଅଭିଯୋଗ କରିଛନ୍ତି। ପୋଲିସ ନଂ.୨୫୬/୨୩ରେ ଏକ ମାମଲା ରୁଜୁ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ବୋଲି ପୋଲିସ କହିଛି।

Share