ପୁଅଙ୍କ ମାଡ଼ରେ ବାପାଙ୍କ ଜୀବନ ଗଲା

କେନ୍ଦୁଝର,୨୬ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଥାନା ଅଧୀନ ଫୁଲଝର ଗାଁରେ ଜଣେ ପୁଅଙ୍କ ମାଡ଼ରେ ବାପାଙ୍କର ମୃତ୍ୟୁ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି।

ସୂଚନାନୁଯାୟୀ, ମଙ୍ଗଳବାର ରାତିରେ ଗ୍ରାମର ବିଦେଶୀ ଦେହୁରୀ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଘରେ ତାଙ୍କ ସ୍ତ୍ରୀ ଙ୍କ ସହ ଝଗଡ଼ା କରୁଥିବା ବେଳେ ତାଙ୍କ ପୁଅ ସୁମନ୍ତ ଦେହୁରୀ ଉତ୍ତ୍ୟକ୍ତ ହୋଇ ବିଦେଶୀ ଦେହୁରୀଙ୍କୁ ଠେଙ୍ଗାରେ ପିଟି ଦେଇଥିଲେ। ବୁଧବାର ସକାଳେ ବିଦେଶୀଙ୍କୁ ଉଠେଇବାରୁ ସେ ଉଠି ନ ଥିଲେ। ପରେ ତାଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ଏନେଇ ସୂଚନା ନୟାକୋଟ ପୋଲିସ ପାଇ ତୁରନ୍ତ ଗାଁରେ ପହଞ୍ଚି ପୁତ୍ରକୁ ଅଟକ ରଖି ଥାନାକୁ ନେଇଯାଇଥିବା ସହ ମୃତଦେହ ଜବତ କରିଥିବା ସୂଚନା ମିଳିଛି।

ସୂଚନା ମୁତାବକ ବାଂଶଫାଳ ବ୍ଲକ ଫୁଲଝର ପଞ୍ଚାୟତ ଅଞ୍ଚଳରେ ବିଗତ କିଛି ବର୍ଷ ମଧ୍ୟରେ ବାରମ୍ବାର ହତ୍ୟା ଘଟଣା ଘଟି ଚାଲିଥିବା ଚର୍ଚ୍ଚାର ବିଷୟ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ଘଟଣାକୁ ନେଇ ନୟକୋଟ ପୋଲିସ କେସ୍‌ ନଂ ୯୩/୨୨ରେ ମାମଲା ରୁଜ କରି ପଚରାଉଚରା ସହିତ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।