ନୂଆଦିଲ୍ଲୀ,୧୨।୪: ସରକାର ପେନ୍ସନ କ୍ଷେତ୍ର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍ଡିଆଇ)କୁ ବଢାଇ ପାରନ୍ତି। ଏ କ୍ଷେତ୍ରରେ ଏଫ୍ଡିଆଇ ସୀମା ୭୪%କୁ ବଢାଇବା ନେଇ ଯୋଜନା ରଖାଯାଇଛି। ପାର୍ଲାମେଣ୍ଟର ପରବର୍ତ୍ତୀ ସେସନରେ ଏ ନେଇ ଏକ ବିଲ୍ ଆସିପାରେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବୀମା କ୍ଷେତ୍ରରେ ଏଫ୍ଡିଆଇ ସୀମା
ପୂର୍ବରୁ ୪୯% ରହିଥିବା ବେଳେ ଏହାକୁ ୭୪%କୁ ବଢାଯାଇଛି। ଗତ ମାସରେ ଏ ସଂକ୍ରାନ୍ତ ବିଲ୍କୁ ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଥିଲା। ଶେଷ ଥର ଲାଗି ବୀମା ଆଇନ ୧୯୩୮କୁ ୨୦୧୫ରେ ସଂଶୋଧନ କରାଯିବା ସହ ସୀମା ୪୯% କରାଯାଇଥିଲା। ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା ଗତ ୫ବର୍ଷରେ ଏହି କ୍ଷେତ୍ରକୁ ୨୬ ହଜାର କୋଟି ଟଙ୍କାର ଏଫ୍ଡିଆଇ ଆସିଛି।
ଅଧିକାରୀ ଜଣକ କହିଛନ୍ତି, ପେନ୍ସନ ଫଣ୍ଡ ରେଗୁଲେଟୋରି ଆଣ୍ଡ ଡେଭଲପମେଣ୍ଟ ଅଥରିଟି (ପିଏଫ୍ଆର୍ଡିଏ) ଆଇନ ୨୦୧୩ର ସଂଶୋଧନ ସହିତ ପେନ୍ସନ କ୍ଷେତ୍ର ଏଫ୍ଡିଆଇ ସୀମା ବଢାଯିବାକୁ ଲକ୍ଷ୍ୟ ରଖାଯାଇଛି। ଶୀତ ଅଧିବେସନରେ ଏଥିଲାଗି ଆବଶ୍ୟକ ହେଉଥିବା ବିଭିନ୍ନ ମଞ୍ଜୁରୀ ପ୍ରକ୍ରିୟାକୁ ଶେଷ କରାଯିବ। ବର୍ତ୍ତମାନ ପେନ୍ସନ ଫଣ୍ଡରେ ଏଫ୍ଡିଆଇ ସୀମା ୪୯% ରହିଛି। ଅଧିକାରୀଙ୍କ କହିବା ମୁତାବକ, ସଂଶୋଧନ ଦ୍ୱାରା ପିଏଫ୍ଆରଡିଏରୁ ଏନ୍ପିଏସ୍ ଟ୍ରଷ୍ଟକୁ ଅଲଗା କରାଯିବା ନେଇ ଯୋଜନା ରହିଛି। ଏନ୍ପିଏସ୍ ଟ୍ରଷ୍ଟର କାର୍ଯ୍ୟକ୍ଷମତା ବର୍ତ୍ତମାନ ପିଏଫ୍ଆର୍ଡିଏ ଅଧୀନରେ ରହିଛି। ସଂଶୋଧିତ ଆଇନ ଆସିଲେ ଏନ୍ପିଏସ୍ କମ୍ପାନୀ ଆଇନ ଅନ୍ତର୍ଗତ ଏକ ଭିନ୍ନ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହୋଇପାରେ।
ପେନ୍ସନ ନିୟାମକଙ୍କ ପରିସରକୁ ଏନ୍ପିଏସ୍ ଟ୍ରଷ୍ଟକୁ ବାଦ୍ ଦେଇ ଏହାକୁ ୧୫ ଜଣିଆ ବୋର୍ଡ ଦ୍ୱାରା ପରିଚାଳିତ କରାଇବାକୁ ପ୍ରସ୍ତାବ ରଖାଯିବ। ଏହାର ଅଧିକାଂଶ ସଦସ୍ୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ରହିବେ। ପେନ୍ସନ କ୍ଷେତ୍ରର ଅଭିବୃଦ୍ଧି ଲାଗି ସରକାର ପିଏଫ୍ଆର୍ଡିଏ ଗଠନ କରିଛନ୍ତି। ଏହାକୁ ପେନ୍ସନ ଫଣ୍ଡର କ୍ଷମତା ମଧ୍ୟ ମିଳିଛି। ସଦସ୍ୟଙ୍କ ସ୍ବାର୍ଥ ରକ୍ଷା ଏବଂ କେନ୍ଦ୍ରୀୟ ରେକର୍ଡ କିପିଂ ଏଜେନ୍ସି ଭାବେ ମଧ୍ୟ ଏହା କାର୍ଯ୍ୟ କରୁଛି।