ଭିତିରି ସମ୍ପର୍କ ପଦାରେ ପକାଇଲା ଭୋଜି

ଅନୁଗୋଳ ଅଫିସ, ୧୦।୯: ମେଡିକାଲରେ କେବଳ ଗଣେଶ ପୂଜା ହେବ। କୌଣସି କର୍ମଚାରୀ ଭୋଜିଭାତ କରିବେ ନାହିଁ। ଏପରି ନିର୍ଦ୍ଦେଶନାମା ଜାରି କରିଥିଲେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ। ହେଲେ କର୍ତ୍ତୃପକ୍ଷଙ୍କ ଏପରି ନିର୍ଦ୍ଦେଶକୁ ଖୋଲାଖୋଲି ବେଖାତିର କରି କେତେଜଣ କର୍ମଚାରୀ କରିଛନ୍ତି ଭୋଜି। ଗତ ବୁଧବାରଠାରୁ ଶୁକ୍ରବାର ମଧ୍ୟରେ ୨ ଥର ମେଡିକାଲ ପରିସରରେ ହୋଇଛି ଭୋଜିଭାତ। ତେବେ ଏଥିପାଇଁ ଟଙ୍କାଟିଏ ମଧ୍ୟ ପକେଟରୁ ଖର୍ଚ୍ଚ କରିନାହାନ୍ତି ସମ୍ପୃକ୍ତ କର୍ମଚାରୀମାନେ। ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଏକ ଠିକା ସଂସ୍ଥା ସମସ୍ତ ଅର୍ଥ ଦେଇଥିବା ଆଲୋଚନା ହେଉଛି। ଫଳରେ ଠିକାଦାର ଓ ମେଡିକାଲର ସମ୍ପୃକ୍ତ କର୍ମଚାରୀମାନଙ୍କ ମଧ୍ୟରେ ଥିବା ଭିତିରି ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ପ୍ରକାଶ ଯେ, ବିଭିନ୍ନ ଦୁର୍ନୀତି, ଅନିୟମିତତା ଅଭିଯୋଗକୁ ନେଇ ଅନେକ ସମୟରେ ବିବାଦରେ ରହୁଛି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ। ତେଣୁ ଗଣେଶ ପୂଜାକୁ ନେଇ ଯେପରି ନୂଆ କିଛି ବିବାଦ ସୃଷ୍ଟି ନ ହୁଏ ସେଥିପାଇଁ ଆଗୁଆ ସତର୍କ କରାଇ ଦେଇଥିଲେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ। ମେଡିକାଲ ପରିସରରେ କେବଳ ପୂଜା କରାଯିବ ଓ କୌଣସି ଭୋଜିଭାତ ହେବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କେତେଜଣ କର୍ମଚାରୀ ପୂର୍ବ ନିର୍ଦ୍ଦେଶନାମା ଭଳି ଏହାକୁ ମଧ୍ୟ ଅଢ଼େଇ ଦିନ ମନେ ରଖି ପାସୋରି ଦେଇଥିଲେ। ତେଣୁ ଗତ ବୁଧବାର ମେଡିକାଲ ପରିସରରେ ଭୋଜିଭାତ ହୋଇଥିଲା। ସମ୍ପୃକ୍ତ କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ। ସେହିପରି ଶୁକ୍ରବାର ମଧ୍ୟ ଆଉ ଏକ ଭୋଜିର ଆୟୋଜନ ହୋଇଥିଲା। ରୋଗୀ କଲ୍ୟାଣ ସମିତି ପଛ ପାର୍ଶ୍ୱରେ ଥିବା ଏକ ଘରେ ରୋଷେଇ କରାଯାଇ ରୋଗୀ କଲ୍ୟାଣ ସମିତି ଗୃହକୁ ଖାଦ୍ୟସବୁ ବୁହାଯାଇଥିଲା। ଏହାପରେ ଜଣେ ତଳିଆ କର୍ମଚାରୀଙ୍କ ହାତରେ ବଜାରରୁ ଖଲିପତ୍ର ମଗାଯାଇଥିଲା। ଭୋଜିରେ ସାମିଲ ହୋଇଥିବା ସମ୍ପୃକ୍ତ କର୍ମଚାରୀମାନେ ଅତି ଚତୁରତାର ସହ ଜଣେ ପରେ ଜଣେ ସେଠାକୁ ଯାଇ ଭୋଜି ଖାଇ ଫେରିଆସିଥିଲେ। ୩ ଦିନ ମଧ୍ୟରେ ୨ ଥର ଭୋଜି ହୋଇଥିଲେ ହେଁ ଏଥିପାଇଁ କର୍ମଚାରୀମାନେ ଅର୍ଥ ଖର୍ଚ୍ଚ କରିନାହାନ୍ତି। ମେଡିକାଲରେ କାର୍ଯ୍ୟରତ ଏକ ଠିକା ସଂସ୍ଥା ଏହାର ଆୟୋଜନ କରିଥିବା କୁହାଯାଉଛି। ତେବେ କେଉଁ ସ୍ବାର୍ଥରେ ଠିକା ସଂସ୍ଥା କର୍ମଚାରୀଙ୍କ ପାଇଁ ଅର୍ଥ ଖର୍ଚ୍ଚ କରୁଛି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଭିତିରି ସମ୍ପର୍କ ଯୋଗୁ ଉକ୍ତ ଠିକା ସଂସ୍ଥା ବିରୋଧରେ ଅନେକ ସମୟରେ ଆସୁଥିବା ଅଭିଯୋଗ ଫାଇଲ ତଳେ ଚାପି ହୋଇ ରହିଯାଉଥିବା ଆଲୋଚନା ହେଉଛି। ଘଟଣା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ କହିଛନ୍ତି, ନିର୍ଦ୍ଦେଶ ନ ମାନି ଭୋଜିଭାତ କରାଯାଇଥିବା ଘଟଣାର ଅନୁଧ୍ୟାନ କରାଯିବ।