Categories: ଜାତୀୟ

ମହାକାଶ ଯିବ ମହିଳା ରୋବୋ

ଚନ୍ଦୟାନ-୩ର ସଫଳତା ପରେ ମହାକାଶ ମିଶନ ପାଇଁ ପ୍ରସ୍ତୁତି ଚଳାଇଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)। ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଗଗନୟାନ ମିଶନର ଟ୍ରାଏଲ୍‌ ହେବ। ଏଥିରେ ସ୍ପେସ୍‌କୁ ଏକ ଫିମେଲ ରୋବୋ ‘ବ୍ୟୋମମିତ୍ର’କୁ ପଠାଯିବ। ଏହି ମିଶନ ସଫଳ ହେଲେ ମହାକାଶକୁ ମାନବ ପ୍ରେରଣ ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି।

ନୂଆଦିଲ୍ଲୀ,୨୭ା୮ଭାରତ ଏହାର ଗଗନୟାନ ମିଶନରେ ମହାକାଶକୁ ଏକ ଫିମେଲ୍‌ ରୋବୋ ‘ବ୍ୟୋମମିତ୍ର’ ପଠାଇବ। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଶନିବାର ଏହା ଘୋଷଣା କରିଛନ୍ତି। ମହାକାଶକୁ ମାନବ ପଠାଇବା ପାଇଁ ଗଗନୟାନ ପ୍ରକଳ୍ପ ଆରମ୍ଭ ହୋଇଥିଲା। ତେବେ କୋଭିଡ୍‌ ମହାମାରୀ ଯୋଗୁ ଏହି ପ୍ରକଳ୍ପ ବିଳମ୍ବିତ ହୋଇଛି। ଏବେ ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଏହାର ପ୍ରଥମ ପରୀକ୍ଷାମୂଳକ ମିଶନ ପାଇଁ ଯୋଜନା ହୋଇଛି। ମହାକାଶଯାତ୍ରୀମାନଙ୍କୁ ସ୍ପେସ୍‌କୁ ପଠାଇବା ଯେତିକି ଗୁରୁତ୍ୱପୂର୍ଣ୍ଣ ସେମାନଙ୍କୁ ଫେରାଇ ଆଣିବା ସେହିଭଳି ଗୁରୁତ୍ୱପୂର୍ଣ୍ଣ ବୋଲି ଜିତେନ୍ଦ୍ର କହିଛନ୍ତି। ସେ ଆହୁରି କହିଛନ୍ତି, ଗଗନୟାନର ଦ୍ୱିତୀୟ ମିଶନରେ ଫିମେଲ୍‌ ରୋବୋକୁ ମହାକାଶକୁ ପଠାଯିବ। ଉକ୍ତ ରୋବୋ ସମସ୍ତ ମାନବ କାର୍ଯ୍ୟକଳାପ କରିବ। ଯଦି ସବୁ ଠିକ୍‌ଠାକ୍‌ ଚାଲେ ତେବେ ଗଗନୟାନ କାର୍ଯ୍ୟକ୍ରମ ପାଇଁ ଆମେ ଆଗେଇବୁ। ଏଥିପାଇଁ ଅର୍ବିଟାଲ ମଡ୍ୟୁଲ୍‌ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ପରୀକ୍ଷାମୂଳକ ଅଭିଯାନ ପାଇଁ ସେଗୁଡ଼ିକୁ କମିଶନ କରାଯାଇଛି ଏବଂ ଲଞ୍ଚ୍‌ପ୍ୟାଡ୍‌ ବଢ଼ାଇବା କାର୍ଯ୍ୟ ଜାରି ରହିଥିବା ମନ୍ତ୍ରୀ କହିଛନ୍ତି। ଇସ୍ରୋ ଚୂଡ଼ାନ୍ତ ମାନବ ମିଶନ ପୂର୍ବରୁ ଦୁଇଥର ମାନବ ସଦୃଶ ବ୍ୟୋମମିତ୍ରଙ୍କୁ ନେଇ ମିଶନ କରିବାକୁ ଯୋଜନା କରିଛି। ଏହା ୨୦୨୪ କିମ୍ବା ୨୦୨୫ରେ ହେବ। ଗଗନୟାନ ମିଶନ ସଫଳ ହେଲେ ମହାକାଶକୁ ମାନବ ପଠାଇବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହେବ। ପୂର୍ବରୁ ଆମେରିକା, ରୁଷିଆ ଏବଂ ଚାଇନା ହ୍ୟୁମ୍ୟାନ୍‌ ସ୍ପେସ୍‌ଫ୍ଲାଇଟ୍‌ ମିଶନରେ ସଫଳ ହୋଇଛନ୍ତି।

Share