ଫିକା ଫିକା ବଡ଼ଦିନ

ଭୁବନେଶ୍ୱର, ୨୫ା୧୨(ବ୍ୟୁରୋ):ମଧ୍ୟରାତ୍ରିରୁ ପ୍ରଭୁ ଯିଶୁଙ୍କ ଧରାବତରଣ ହୋଇଛି॥ ଆଜି ସମଗ୍ର ବିଶ୍ୱ ବଡ଼ଦିନ ପାଳୁଛି। ହେଲେ କୋଭିଡ୍‌ କଟକଣା ଯୋଗୁ ଏଥର ଉତ୍ସବ ଫିକା ପଡ଼ିଛି। ରାଜଧାନୀ ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଚର୍ଚ୍ଚରେ ନାହିଁ କୋଳାହଳ, ଅବା ଉତ୍ସବର ମାହୋଲ। କେଉଁଠି ଅଳ୍ପକିଛି ସାଜସଜ୍ଜା ହୋଇଛି ତ ଆଉ କେଉଁଠି ହୋଇନି ପ୍ରଭୁ ଯିଶୁଙ୍କ ମଧ୍ୟରାତ୍ରି ଜନ୍ମୋତ୍ସବ ଓ ପ୍ରାର୍ଥନା ସଭା। କେବଳ ଶୁକ୍ରବାର ସକାଳେ ସତ୍ୟନଗରସ୍ଥିତ ଚର୍ଚ୍ଚରେ ସକାଳ ୭ଟା ୩୦ରୁ ସାମୂହିକ ପ୍ରାର୍ଥନା ଆରମ୍ଭ ହେବ। ଦିନ ୧୨ଟା ୩୦ ପର୍ଯ୍ୟନ୍ତ ଯୀଶୁଙ୍କ ଜନ୍ମଦିନ ବିଏମ୍‌ସିର ଗାଇଡ୍‌ଲାଇନ୍‌ ଅନୁସାରେ ପାଳନ କରାଯିବ। ସେହିଭଳି ଭୁବନେଶ୍ୱରକୁ ବିଭିନ୍ନ ଜୋନ୍‌ରେ ବିଭକ୍ତ କରାଯାଇ ପ୍ରତି ଜୋନ୍‌ର ୧୪୦ଜଣ ଲେଖାଏ ଶ୍ରଦ୍ଧାଳୁଙ୍କୁ ପ୍ରାର୍ଥନା ପାଇଁ ଚର୍ଚ୍ଚରେ ଅନୁମତି ଦିଆଯିବ। ଚର୍ଚ୍ଚରେ ମାତ୍ର ୫ ଘଣ୍ଟା ପାଇଁ କାର୍ଯ୍ୟକ୍ରମ ହେବ। କିନ୍ତୁ ଚର୍ଚ୍ଚ ପରିସରରେ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ ବୋଲି ଫାଦର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ୟୁନିଟ-୪ ଚର୍ଚ୍ଚ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ କେବଳ ଅନ୍‌ଲାଇନ ମାଧ୍ୟମରେ ବଡ଼ଦିନ ପୂଜାର୍ଚ୍ଚନା ଓ ସେଲିବ୍ରେଶନ ହେବ। ପ୍ରତିବର୍ଷ ବଡ଼ଦିନରେ ଏଠାରେ ବଡ଼ବଡ଼ କାର୍ଯ୍ୟକ୍ରମ ହୋଇଥାଏ। ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା ଥିବାରୁ କମ୍‌ସଂଖ୍ୟକ କର୍ମଚାରୀରେ କରୋନା ଗାଇଡ୍‌ଲାଇନ୍‌ ପାଳନ କରିବା କଷ୍ଟକର ହୋଇପଡିବ। ତେଣୁ ୨୪ ଓ ୨୫ ତାରିଖ ଚର୍ଚ୍ଚକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି।

Share