ଥୋଡ଼ ସମୟରେ ବିଲ ଶୁଖିଲା

ବାଙ୍ଗିରିପୋଷି,୩ା୧୧(ସଞ୍ଜୟ କୁମାର ଅଗ୍ରୱାଲ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକରେ ପାଣି ଅଭାବରୁ ଧାନ ଫସଲ ନଷ୍ଟ ହେବାକୁ ବସିଲାଣି। ଧାନ ଥୋଡ଼ ଓ ଫୁଲ ଉଡ଼ାଇବା ସମୟରେ ବିଲ ଶୁଖିଲା ପଡ଼ିଛି। ଫଳରେ ଧାନ କେଣ୍ଡା ବାହାରି ପାରୁନି। ବିଲରେ ପାଣି ନ ଥିବାରୁ ଧାନ ପତ୍ର ସବୁ ହଳଦିଆ ପଡ଼ିଗଲାଣି। ମାସେ ହେଲା ବର୍ଷା ନ ଥିବାରୁ ଜମି ଫାଟି ଆଁ କରିଛି। ଚାଷୀ ମଜୁରି ଦେଇ ଓ ସାର କିଣି ହତାଶ ହୋଇଥିବା ବେଳେ ଏବେ ପୁଣି ଧାର କରଜ କରି ମୋଟର ସାହାଯ୍ୟରେ ବିଲରେ ପାଣି ମଡ଼ାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଏହି ବ୍ଲକ ଅଞ୍ଚଳରେ ୮୦ ପ୍ରତିଶତ ଲୋକ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି। ବ୍ଲକରେ ୩ଟି ପ୍ରୋଜେକ୍ଟରେ ଚନ୍ଦନପୁର ପଞ୍ଚାୟତ କଂଶାପାଳ, ବଣକାଟୀ ପଞ୍ଚାୟତ କଣ୍ଟାପାଳ ଓ କୁସୁମବନ୍ଧ ପଞ୍ଚାୟତ ହିଜିଳି ଗ୍ରାମରେ ୩୬୦୦ ହେକ୍ଟର ଚାଷଜମି ଜଳସେଚନ ହେଉଛି। କଂଶାପାଳରେ ୮୦୦, କଣ୍ଟାପାଳରେ ୮୦୦ ଓ ହିଜିଳିରେ ୨୦୦୦ ହଜାର ହେକ୍ଟର ଚାଷଜମି ପାଇଁ ଜଳ ସେଚନର ସୁବିଧା ଥିଲେ ମଧ୍ୟ ତାହା ଚାଷୀଙ୍କ କାମରେ ଆସୁନାହିଁ। ଏପରିକି ଅଣ ଜଳସେଚିତ ଚାଷ ଜମି ବା କମ୍‌ ଚାଷ ହେଉଥିବା ଜମିକୁ ମେଗା ପାଇପ୍‌ ଦ୍ୱାରା ଜଳ ଯୋଗାଣ ବ୍ୟବସ୍ଥା ରହିଛି। ଏଭଳି ଅବ୍ୟବସ୍ଥା ଯୋଗୁ ଅଧିକ ଚାଷ ଜମିକୁ ପାଣି ମାଡ଼ି ପାରୁନାହିଁ। ଜଳସେଚନ ବ୍ୟବସ୍ଥା ଅଛି କିନ୍ତୁ ପ୍ରଶାସନିକ ଅବହେଳା କାରଣରୁ ବିଲରେ ପାଣି ପହଞ୍ଚତ୍ ପାରୁ ନ ଥିବାରୁ ଚାଷୀ ସମ୍ପୂର୍ଣ୍ଣ ରୂପେ ବର୍ଷା ଉପରେ ନିର୍ଭରଶୀଳ। ତେବେ ଦୀର୍ଘ ଏକ ମାସ ହେଲା ବର୍ଷା ନ ହେବାରୁ ଜମି ଶୁଖିଯାଇଛି। ସୋରିଷପାଳ ଅଞ୍ଚଳରେ ନେଦାମ ଡ୍ୟାମରୁ ଖରିଫ ଫସଲରେ ପଳାଶବଣୀ, ରଙ୍ଗାମାଟିଆ, ଶାଳବଣି, ତୁଳସୀବଣି, ଘଟିଡୁବା, ଅସ୍ତବେଡାକୁ ଜଳ ଯୋଗାଇବାର ବ୍ୟବସ୍ଥା ରହିଛି, ହେଲେ ଅଦ୍ୟାବଧି ବିଲକୁ ପାଣି ମାଡ଼ି ପାରୁନାହିଁ। ବର୍ଷା ଅଭାବରୁ ଧାନ ଗଛ ଶୁଖି ମରିବାକୁ ବସିଥିବାରୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।

Share