Categories: ଫୁରସତ

ଜଳବାୟୁ ପରିବର୍ତ୍ତନ ଲଢ଼େଇରେ ଆଦିବାସୀ ଝିଅ

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ଏହାର ମୁକାବିଲା କ୍ଷେତ୍ରରେ ଓଡ଼ିଶା ଆଦିବାସୀ ସମ୍ପ୍ରଦାୟର ନେତୃତ୍ୱକୁ ବିଶ୍ୱ ଦେଖୁଛି। ସୁନ୍ଦରଗଡ଼ ଖଡ଼ିଆ ଆଦିବାସୀ ସମାଜର ଝିଅ ଅର୍ଚ୍ଚନା ସୋରେଙ୍ଗ ମିଳିତ ଜାତିସଂଘ ପାଣିପାଗ ପରିବର୍ତ୍ତନର ଯୁବ ପରାମର୍ଶଦାତା ଗୋଷ୍ଠୀରେ ସାମିଲ ହୋଇ କେବଳ ନିଜ ସମ୍ପ୍ରଦାୟ କାହିଁକି, ଓଡ଼ିଶା ଓ ଭାରତ ପାଇଁ ଗୌରବ ଆଣିଛନ୍ତି। ଏହି ଗୋଷ୍ଠୀରେ ଅନ୍ୟ ୭ଜଣ ରହିଥିବାବେଳେ ଅର୍ଚ୍ଚନା ସବୁବେଳେ ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢ଼େଇରେ ଆଦିବାସୀ ସମ୍ପ୍ରଦାୟର ଭୂମିକାକୁ ଗୁରୁତ୍ୱ ଦେବା ସହ ଏହାକୁ ଏକ ବିଶ୍ୱ ଆହ୍ବାନରେ ପରିଣତ କରିଛନ୍ତି। ନିକଟରେ ସ୍କଟଲାଣ୍ଡ୍‌ର ଗ୍ଲାସ୍‌ଗୋଠାରେ ହୋଇଥିବା ‘କପ୍‌୨୬’ ଜଳବାୟୁ ସମ୍ମିଳନୀରେ ଏହି ଯୁବ ପରିବେଶବିତ୍‌ ଯୋଗଦେଇ ନିଜ ନେତୃତ୍ୱର ପରାକାଷ୍ଠା ଦେଖାଇଛନ୍ତି।
୧୯୯୬ରେ ରାଉରକେଲାରେ ଜନ୍ମଗ୍ରହଣ କରିଥିବା ଅର୍ଚ୍ଚନା ଛୋଟ ବେଳୁ ପରିବାର ଲୋକ ଓ ଆଦିବାସୀ ସମାଜ ଜଙ୍ଗଲ ସୁରକ୍ଷା ପାଇଁ କାମ କରୁଥିବା ଦେଖି ସେଥିପ୍ରତି ଅନୁପ୍ରେରିତ ହୋଇଥିଲେ। ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ଆଦିବାସୀ ସମ୍ପ୍ରଦାୟ କିପରି ଯୋଗଦାନ କରିପାରିବେ ସେଥିପାଇଁ ଆଗେଇ ଆସିଥିଲେ। ବୟସ ବଢ଼ିବା ସହ ତାଙ୍କର ଏପରି ଲକ୍ଷ୍ୟ ଧୀରେ ଧୀରେ ଶାଣିତ ହୋଇଥିଲା। ସେ ରାଜନୀତି ବିଜ୍ଞାନରେ ପାଟଣା ମହିଳା କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ମୁମ୍ବାଇର ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସରୁ ଶିକ୍ଷା ଲାଭ କରିଥିଲେ। ଏବେ ସେ ‘ବସୁନ୍ଧରା’ ଅନୁଷ୍ଠାନର ରିସର୍ଚ୍ଚ ଅଫିସର ଓ ଆଦିବାସୀ ଯୁବ ଚେତନା ମଞ୍ଚର ଆବାହିକା ଅଛନ୍ତି। ତାଙ୍କ ମତରେ ଜଙ୍ଗଲର ସୁରକ୍ଷା ତଥା ପ୍ରକୃତି ସହିତ ବିଶ୍ୱର ସମ୍ପର୍କକୁ ପୁନଃସ୍ଥାପିତ କରିବା ପାଇଁ ଆଦିବାସୀ ବର୍ଗର ଲୋକଙ୍କର ଜ୍ଞାନ ରହିଛି। କିନ୍ତୁ ଯେତେବେଳେ ସେମାନଙ୍କର ଜମି, ଜଙ୍ଗଲ ଏବଂ ଅଞ୍ଚଳ ଉପରେ ଆଦିବାସୀ ତଥା ଦଳିତ ସମ୍ପ୍ରଦାୟର ଅଧିକାର ସ୍ବୀକୃତିପ୍ରାପ୍ତ ଏବଂ କାର୍ଯ୍ୟକାରୀ ହେବ ସେତେବେଳେ ଏହି ସମାଧାନ କାର୍ଯ୍ୟକାରୀ ହୋଇପାରିବ ବୋଲି ଅର୍ଚ୍ଚନା କହିଛନ୍ତି। ସେ ଆହୁରି କହିଛନ୍ତି, ପ୍ରଥମେ ଆମକୁ ଗ୍ରହଣ କରିବାକୁ ହେବ ଯେ, ଜଳବାୟୁ ପରିବର୍ତ୍ତନ ପ୍ରଭାବ ପଡ଼ି ସାରିଲାଣି। ପ୍ରକୃତିର ସନ୍ତୁଳନ ପାଇଁ ଆମକୁ ଏବେ ଷ୍ଟ୍ରାଟେଜି ଓ ଆକ୍ସନ ପ୍ଲାନ୍‌ କରିବାକୁ ପଡ଼ିବ। ରାଜ୍ୟର ଅନେକ ଯୁବପିଢ଼ି ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ କାର୍ଯ୍ୟ କରୁଛନ୍ତି। ସମସ୍ତଙ୍କୁ ସଙ୍ଗଠିତ କରିବାର ଅଛି। ସ୍କୁଲ ଓ କଲେଜରେ ଜଳବାୟୁ ପରିବର୍ତ୍ତନ ପାଠ୍ୟକ୍ରମ ରହିବା ଉଚିତ।
‘କପ୍‌୨୬’ ଜଳବାୟୁ ସମ୍ମିଳନୀରେ ଅର୍ଚ୍ଚନା ଆଦିବାସୀ ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ନୀତି ପ୍ରସ୍ତୁତିରେ ଆଦିବାସୀଙ୍କ ସ୍ବର ଓ ଯୁବପିଢ଼ିଙ୍କୁ ସାମିଲ କରିବାକୁ ଗୁରୁତ୍ୱ ଦେବାକୁ ସେ କହିଛନ୍ତି। ଆଦିବାସୀମାନେ ଜଳବାୟୁ ନୀତି (କ୍ଲାଇମେଟ୍‌ ଆକ୍ସନ)ର ଶିକାର ହେବା ଉଚିତ ନୁହେଁ, ବରଂ ଜଳବାୟୁ ନୀତିର ନେତା ହେବା ଉଚିତ। ସବୁଜ ଜୀବନଯାପନ, ବର୍ଷା ଜଳ ଅମଳ, ଜୈବିକ ଚାଷ, ଜୈବ ବିବିଧତା ରକ୍ଷା କରିବା ପାଇଁ ଆଦିବାସୀମାନଙ୍କ ଦୈନନ୍ଦିନ ଜୀବନରେ ବ୍ୟବହୃତ ପଦ୍ଧତି ଏବଂ ଉପକରଣଗୁଡ଼ିକୁ ଯଦି ଅନ୍ୟ ଲୋକଙ୍କ ଦ୍ୱାରା ଅଧିକ ପରିମାଣରେ ଗ୍ରହଣ କରାଯାଏ, ତେବେ ଏହା ପରିବେଶର ସଂରକ୍ଷଣ ତଥା ଜଳବାୟୁ ପରିବର୍ତ୍ତନ ସହିତ ମୁକାବିଲା କରିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ‘ଧରିତ୍ରୀ’ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀ ‘କ୍ଲାଇମେଟ୍‌ ଚେଞ୍ଜ: ଫୋକସ୍‌ ଓଡ଼ିଶା’ରେ ଏକ୍ସପର୍ଟ ପ୍ୟାନେଲିଷ୍ଟ ଭାବେ ଯୋଗଦେବେ।

Share