ଭୁବନେଶ୍ବର ୬।୬: ବାଲେଶ୍ବର ଜିଲା ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ । ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମଙ୍ଗଳବାର ସ୍ପଷ୍ଟ କରିଛନ୍ତି । ୨୮୮ ମୃତଦେହ ମଧ୍ୟରୁ ୨୦୫ ମୃତଦେହ ଚିହ୍ନଟ ହେବା ସହ ପରିବାରଲୋକଙ୍କୁ ହସ୍ତାନ୍ତର ହୋଇସାରିଛି । ଆଉ ୮୩ଟି ମୃତଦେହ ଚିହ୍ନଟ ହୋଇନାହିଁ । ସେସବୁର ଡିଏନଏ ସାମ୍ପଲ ରଖାଯାଇଛି । ସେସବୁ ମୃତଦେହର ଦାବିଦାର ଆସିଲେ ଡିଏନଏ ମ୍ୟାଚିଂ କରି ହସ୍ତାନ୍ତର କରାଯିବ । ବାଲେଶ୍ବରରେ ୯୪ଟି ମୃତଦେହ ପରିବାରଲୋକଙ୍କୁ ଦିଆଯାଇଥିଲା । ବାଲେଶ୍ୱରରୁ ୧୯୩ଟି ମୃତଦେହ ଭୁବନେଶ୍ୱରକୁ ଆସିଥିଲା । ସେଥିମଧ୍ୟରୁ ୧୧୦ ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର ହୋଇସାରିଛି । ସେହିପରି ଭଦ୍ରକ ମେଡିକାଲରେ ଜଣଙ୍କର ମୃତ୍ୟୁ ହୋଇଥିଲା ତାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇସାରିଛି ।