ଶେଷ ପର୍ଯ୍ୟାୟରେ ରଥଯାତ୍ରା ପ୍ରସ୍ତୁତି

ସୋରଡ଼ା,୧୯ା୬(ଲମ୍ବୋଦର ପାଣିଗ୍ରାହୀ): ଅଞ୍ଚଳର ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋରଡା,ବଡ଼ଗଡ଼ ୨ ଜଗନ୍ନାଥ ମନ୍ଦିରରେ ସୋମବାର ନବଯୌବନ ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି। ସକାଳୁ ପ୍ରାକ୍‌ ମୌସୁମୀ ବର୍ଷା ଯୋଗୁ ଜନସାଧାରଣ ଆନନ୍ଦ ଅନୁଭବ କରିଥିବା ବେଳେ ମନ୍ଦିରଗୁଡ଼ିକରେ ସକାଳୁ ସକାଳୁ ଭିଡ଼ ଆରମ୍ଭ ହୋଇଛି। ସୋରଡ଼ାରେ ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ତତ୍ତ୍ୱାବଧାନରେ ରଥଯାତ୍ରା ପାଇଁ ସମସ୍ତ ପ୍ରକାର ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ଥର କରି ଏଠାରେ ମନ୍ଦିର ଚଟାଣ ଓ ରଥଖଳାକୁ ଏନ୍‌ଏସି ଅଧ୍ୟକ୍ଷ ଶିବଶଙ୍କର ପଣ୍ଡାଙ୍କ ପ୍ରଚେଷ୍ଟାରେ ସୁନ୍ଦର ଭାବେ ରଙ୍ଗ ବେରଙ୍ଗ, ଝୋଟି, ଚିତାରେ ସଜା ଯାଇଛି। ଅଞ୍ଚଳର ବରିଷ୍ଠ ଚିତ୍ରକର ଜଗବନ୍ଧୁ ଦାଶ ୩ ଦିନ ହେଲା ଏଥିରେ ଶ୍ରମ ନିୟୋଜନ କରି କଳା ପ୍ରଦର୍ଶନ କରିଛନ୍ତି। ପୋଲିସ,ଦମକଳ,ସ୍ବାସ୍ଥ୍ୟ ବିଭାଗ,ଏନ୍‌ଏସି ,ସତ୍ୟ ସାଇ ସେବାଦଳ ଦିବ୍ୟଜୀବନ ସଂଘ,ବଣିକ ସଂଘ,ଖଲାସୀ ସଂଘ ପ୍ରଭୃତି ରଥଯାତ୍ରା ପରିଚାଳନାରେ ସହଯୋଗ କରିବାକୁ ନିଷ୍ପତ୍ତି ହୋଇଛି। ଯାତ୍ରା ସମୟରେ ଗଣିଛକଠାରୁ ଆଡ଼ପମଣ୍ଡପ ପର୍ଯ୍ୟନ୍ତ ଯାନବାହନ ଚଳାଚଳ,ପାର୍କିଂ ଉପରେ କଟକଣା ଲଗାଯାଇଛି। କୋଟିବାଡ଼ି ଗ୍ରାମର ପ୍ରଭାକର ସାବତ, ସ୍ବାଧୀନ ସାବତ, ପିଣ୍ଟୁ ପାଣିଗ୍ରହୀ ସମେତ ପ୍ରମୋଦ ଅଧିକାରୀ ଭକ୍ତଙ୍କୁ ମେଶିନ ସାହାଯ୍ୟ ଜଳ ସିଞ୍ଚନ ପାଇଁ ବ୍ୟବସ୍ଥା କରିଛନ୍ତି। ରାଜା ସାହେବ ଡାକ୍ତର ଦେବଦତ୍ତ ସିଂହ ଦେଓ ଯୋଗଦେଇ ଛେରା ପହଁରା ନୀତି ସମ୍ପନ୍ନ କରିବେ। ଅଞ୍ଚଳର ସମସ୍ତ କୀର୍ତ୍ତନ ଦଳ ଯୋଗ ଦେବା ସହ ନୃତ୍ୟ ପ୍ରଦର୍ଶନ କରିବେ।

Share