ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ୱର, ୫।୧(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସବୁ ଜାତୀୟ/ରାଜ୍ୟସ୍ତରୀୟ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ସମ୍ପର୍କରେ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଅବଗତ କରାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳ ସହ ଆଲୋଚନା ପରେ ନିର୍ବାଚନ ଇସ୍ତାହାର ପାଇଁ ନିୟମ ପ୍ରଣୟନ କରିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ମୁଖ୍ୟ ନିର୍ବାଚନ ଅଧିକାରୀ ରାଜନୈତିକ ଦଳଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ନିର୍ବାଚନ ଇସ୍ତାହାରର (ଓଡ଼ିଆ/ହିନ୍ଦୀ/ଇଂରାଜୀ) ଉଭୟ ଭାଷାର ୩ଟି ଲେଖା କପି ଆଣିପାରିବେ। ପ୍ରାର୍ଥୀ କିମ୍ବା ରାଜନୈତିକ ଦଳଗୁଡ଼ିକ ଯେତେବେଳେ ନିର୍ବାଚନ ଇସ୍ତାହାର ଘୋଷଣା କରୁଛନ୍ତି ସେତେବେଳେ ଆଦର୍ଶ ଆଚରଣ ବିଧି ସଂହିତାର ଅଧିନିୟମ ୮(୩)କୁ କଡ଼ାକଡ଼ି ପାଳନ କରିବାକୁ ନିର୍ବାଚନ ଆୟୋଗ ଦର୍ଶାଇଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ପ୍ରକାଶ କରିଛନ୍ତି ା ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ସରି ଗତ ୨୭ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଶୁକ୍ରବାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ପ୍ରକାଶିତ ହେବାକୁ ଥିବା ଚୂଡ଼ାନ୍ତ ଭୋଟର ତାଲିକା ୨୦୨୪ ଅନୁସାରେ ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ା ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ଓ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ ଜଣ ା ରାଜ୍ୟରେ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ହେଲା ୩୩୮୦ ଜଣ ା ରାଜ୍ୟରେ ଯୁବ ଭୋଟର (୧୮-୧୯ ବର୍ଷ)ଙ୍କ ସଂଖ୍ୟା ହେଲା ୭ ଲକ୍ଷ ୫୪ ହଜାର ୯୪୬ ଜଣ, ଯାହାକି ଗତ ୫ ବର୍ଷରେ ସର୍ବାଧିକ (୨.୨୭%)ା ମୋଟ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ହେଲା ୪ ଲକ୍ଷ ୫୭ ହଜାର ୮୨୧ ଜଣ, ଅର୍ଥାତ୍‌ ୧.୩୮% ବୋଲି ଧଳ କହିଛନ୍ତି।

Share