Categories: ମେଟ୍ରୋ

ପୋଲିସ ବ୍ୟକ୍ତିଗତ ଆକାଉଣ୍ଟକୁ ଯାଉଛି ଜରିମାନା ଟଙ୍କା

ଭୁବନେଶ୍ୱର,୩ା୮(ବ୍ୟୁରୋ): କରୋନା ସଂକଟବେଳେ ରାଜଧାନୀରେ ଲୁଟେରାଙ୍କ ସହ ଖାକି ଉତ୍ପାତ ବଢ଼ି ଚାଲିଛି। ପୋଲିସ କଡ଼ାକଡ଼ି ଯାଞ୍ଚ ଆଳରେ ଉଲ୍ଲଂଘନକାରୀଙ୍କଠାରୁ ଟଙ୍କା ଲୁଟୁଛି। ଜରିମାନା ଟଙ୍କା ରାଜକୋଷକୁ ନ ଯାଇ କିଛି କିଛି ପୋଲିସ କର୍ମଚାରୀଙ୍କ ପକେଟ ଓ ବ୍ୟକ୍ତିଗତ ବ୍ୟାଙ୍କ୍‌ ଆକାଉଣ୍ଟକୁ ଚାଲିଯାଉଛି। ସଂକ୍ରମଣ ଭୟ ଦେଖାଇ ଉଲ୍ଲଂଘନକାରୀଙ୍କଠାରୁ ଅନ୍‌ଲାଇନ୍‌ରେ ଜରିମାନା ଟଙ୍କା ନେଉଛନ୍ତି। ଯାଞ୍ଚବେଳେ ପିଓଏସ୍‌ ମେଶିନ ନ ରଖି ବ୍ୟକ୍ତିଗତ ଆକାଉଣ୍ଟ ନମ୍ବର ଦେଇ ମାଲାମାଲ୍‌ ହେଉଛନ୍ତି। ରବିବାର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ଓଭରବ୍ରିଜ୍‌ ନିକଟରେ ଯାଞ୍ଚବେଳେ ଏଭଳି ଘଟଣା ନଜରକୁ ଆସିଛି। ଜଣେ ଏଏସ୍‌ଆଇ ବିନା ହେଲ୍‌ମେଟ୍‌ରେ ଯାଉଥିବାରୁ ଦୁଇଜଣ ଯୁବକଙ୍କଠାରୁ ବ୍ୟକ୍ତିଗତ ଗୁଗଲ୍‌ ପେ’ ଆକାଉଣ୍ଟରେ ଜରିମାନା ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏପରି କି ଧରାଇଥିବା ରସିଦ୍‌କୁ ନେଇ ମଧ୍ୟ ସେ ନାନା ପ୍ରଶ୍ନ ଉଠାଇଛନ୍ତି। ହେଲ୍‌ମେଟ୍‌ ଜରିମାନା ୧୦୦୦ଟଙ୍କା ରହିଥିବାବେଳେ ଦୁଇଜଣଙ୍କଠାରୁ ୨ଶହ ଟଙ୍କା କିପରି ନେଲେ, ତାହାକୁ ନେଇ ସନ୍ଦେହ କରିଛନ୍ତି। ଏଥିସହ ଟୁଇଟ୍‌ କରି ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କୁ ମଧ୍ୟ ଜଣାଇଛନ୍ତି।
ମିଳିଥିବା ସୂଚନାନୁସାରେ, ଦିନ ପ୍ରାୟ ୧ଟାରୁ ଝାରପଡ଼ା ଓଭରବ୍ରିଜ୍‌ ନିକଟରେ ଯାଞ୍ଚ ଆରମ୍ଭ ହୋଇଥିଲା। ଅପରାହ୍ନ ସାଢ଼େ ୪ଟାରେ ଦୁଇଟି ବାଇକ୍‌ରେ ବାଣୀବିହାରରେ ରହୁଥିବା ତାରସେନ୍‌ ଦାରୁଆ ଓ ସ୍ଥିତପ୍ରଜ୍ଞ ମିଶ୍ର ଲକ୍ଷ୍ମୀସାଗର ଅଭିମୁଖେ ଯାଉଥିଲେ। ଯାଞ୍ଚ କରୁଥିବା ପୋଲିସ ଉଭୟଙ୍କୁ ଅଟକାଇ ଜରିମାନା ଦେବାକୁ କହିଥିଲେ। ପାଖରେ ନଗଦ ଟଙ୍କା ନ ଥିବାରୁ ଏଟିଏମ୍‌ କାର୍ଡ ବାହାର କରିଥିଲେ। ହେଲେ ଜରିମାନା ରଖୁଥିବା ଜଣେ ପୋଲିସ ଏଏସ୍‌ଆଇ ହଠାତ୍‌ ଗାଳିଗୁଲଜ କରି ଟଙ୍କା ବାହାର କରିବାକୁ କହିଥିଲେ। ପିଓଏସ୍‌ ମେଶିନ ନାହିଁ, ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ଅନ୍‌ଲାଇନ୍‌ରେ ଜରିମାନା ପୈଠ କରିବାକୁ କହି ଏକ ଗୁଗଲ୍‌ ପେ’ ଆକାଉଣ୍ଟ ନମ୍ବର ଦେଇଥିଲେ। ସ୍ଥିତପ୍ରଜ୍ଞ ଗୁଗ୍‌ଲ ପେ’ରେ ଦୁଇଜଣଙ୍କ ପାଇଁ ୨ଶହ ଟଙ୍କା ପଠାଇବା ପରେ ପୋଲିସ ଅଧିକାରୀ ଜଣକ ରସିଦ ଦେଇଥିଲେ। ତେବେ ଏହାପରେ ସେମାନେ ଉକ୍ତ ଆକାଉଣ୍ଟ ନମ୍ବର ଯାଞ୍ଚ କରିବାରୁ ତାହା ବ୍ୟକ୍ତିଗତ ଥିବା ଓ ପ୍ରଭାତ ଆଟ୍ଟିଙ୍କ ନାଁରେ ଥିବା ଜଣାପଡିଥିଲା। ସେମାନଙ୍କ ଆଗରେ ଅଧିକାଂଶ ଉଲ୍ଲଂଘନକାରୀଙ୍କଠାରୁ ସମ୍ପୃକ୍ତ ପୋଲିସ ଅଧିକାରୀ ଗୁଗଲ୍‌ ପେ’ ଓ ଅନ୍‌ଲାଇନ୍‌ରେ ଜରିମାନା ଟଙ୍କା ନେଇଥିବାରୁ ତାହା ବ୍ୟକ୍ତିଗତ ଆକାଉଣ୍ଟ୍‌କୁ ଯାଇଥିବା ସନ୍ଦେହ କରାଯାଉଛି।
ଏନେଇ ଡିସିପି ଡା.ଉମାଶଙ୍କର ଦାଶ କହିଛନ୍ତି, ପୋଲିସ ଜରିମାନା ଟଙ୍କା ନିଜ ଗୁଗଲ ପେ’ ଆକାଉଣ୍ଟକୁ ନେବା ବେଆଇନ। ଏନେଇ ଆମେ ତଦନ୍ତ କରିବୁ। ସତ୍ୟତା ଥିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Share