ମାଡ଼ି ଚାଲିଛି ଶିମିଳିପାଳ ନିଆଁ

ବାରିପଦା,୩ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ପାରଦ ସୀମା ଲଂଘୁଥିବା ବେଳେ ଅଣାୟତ୍ତ ହୋଇପଡ଼ିଛି ଶିମିଳିପାଳ ନିଆଁ। ପ୍ରତିଦିନ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ ଡିଭିଜନରେ ବନାଗ୍ନି ବଢ଼ିବଢ଼ିି ଚାଲିଛି। ଶିମିଳିପାଳ କର୍ତ୍ତୃପକ୍ଷ ଫାୟର ପଏଣ୍ଟକୁ ଯାଇ ନୃା ରୋକିବାକୁ ପ୍ରୟାସ ଜାରି ରଖିଛନ୍ତି।
ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ପୋଡାଡିହା ରେଞ୍ଜ ବଡ଼ଖମଣ ନିକଟ ପୁଟକାଘୁଟୁ ପାହାଡ଼ ଓ ଜେଏସ୍‌ ଜାମୁଡିହା ନିକଟ ଠାକୁରାଣୀ ପାହାଡ଼ରୁ ପାହାଡ଼କୁ ନିଆଁ ବ୍ୟାପି ଚାଲିଛି। ନିଆଁ ପ୍ରକୋପରେ ବଡ଼ ବଡ଼ ବୃକ୍ଷ, ଔଷଧୀୟ ତରୁଲତା ପୋଡ଼ ଜଳି ପାଉଁଶ ହୋଇଯାଉଛି। ସରୀସୃପ ଓ ବନ୍ୟଜନ୍ତୁମାନେ ଦିଗହରା ସାଜିଛନ୍ତି। ଶିକାରୀମାନେ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଉଥିବା ନେଇ ସ୍ଥାନୀୟ ଲୋକେ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଗୋଟିଏ ଗୋଟିଏ ସ୍ଥାନରେ ୭ଦିନ ଧରି ନିଆଁ ଜଳୁଥିବା ବେଳେ ଏହା ଏବେ ଆଗକୁ ଆଗକୁ ମାଡି ଚାଲିଛି। ବନ ବିଭାଗର କର୍ମଚାରୀ ଏବଂ ଓଡ୍ରାଫ ଟିମ୍‌ ନିଆଁକୁ ଆୟତ୍ତ କରିବା ପାଇଁ ନୟାନ୍ତ ହୋଇପଡ଼ିଛନ୍ତି। ତେବେ ନିଆଁ ଜଳୁଥିବା ପାହାଡ଼ରେ ଶୁଆ, ଶାରୀ, ବଜ୍ରକାପ୍ତା ଭଳି ବିଲୁପ୍ତ ପ୍ରଜାତିର ଅନେକ ପଶୁପକ୍ଷୀ ସରୀସୃପ ବସବାସ କରୁଥିବା ବେଳେ ଏହି ନିଆଁର ପ୍ରଭାବରେ ଜଳିପୋଡି ଯାଉଥିବା ଅନୁମାନ କରାଯାଇଛି। ଜିଲାରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ତାହା ଅଭୟାରଣ୍ୟ ବନାଗ୍ନି ଲିଭାଇବା ପାଇଁ ଯଥେଷ୍ଟ ହୋଇପାରି ନାହିଁ। ଗୁରୁବାର ବିଭାଗ ପକ୍ଷରୁ ବନାଗ୍ନିକୁ ନେଇ କୌଣସି ସୂଚନା ପ୍ରଦାନ କରାଯାଇ ନ ଥିବା ବେଳେ ତଥ୍ୟ ଲୁଚାଇବାକୁ ଉଦ୍ୟମ କରାଯାଉଥିବା ମତ ପ୍ରକାଶ ପାଇଛି। ଅଧିକାରୀଙ୍କ ସହ ଯୋଗାଯୋଗ ହୋଇ ପାରୁ ନ ଥିବାରୁ ନିଆଁ ସମ୍ପର୍କିତ ତଥ୍ୟ ମିଳିପାରୁ ନାହିଁ।