ଅଭାବରେ ଚାଲିଛି ଅଗ୍ନିଶମ ସେବା

ରାଉରକେଲା,୧।୯(ସଙ୍ଗୀତା ଜେନା): ଝଡ଼ବତାସ, ଅଗ୍ନିକାଣ୍ଡ, ଜଙ୍ଗଲ ନିଆଁ, ବନ୍ୟା ଓ ଅନ୍ୟ ଆପାତକାଳୀନ ପରିସ୍ଥିତିରେ ଅଗ୍ନିଶମ ବା ଦମକଳ ବାହିନୀଙ୍କୁ ଖୋଜାପଡେ। ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ କରିବା ସହ ପରିସ୍ଥିତିକୁ ଆୟତ୍ତ କରିଥାନ୍ତି। ଏପରିକି ଦମକଳ ବାହିନୀ ବିଭିନ୍ନ ଲୋକହିତକର କାର୍ଯ୍ୟରେ ମଧ୍ୟ ଯୋଗଦାନ କରିଥାନ୍ତି। ନିଜ ଜୀବନକୁ ବାଜି ଲଗାଇ ଅଗ୍ନିଶମ କର୍ମଚାରୀମାନେ ଜନଜୀବନ ରକ୍ଷା କରନ୍ତି। ତେବେ ରାଉରକେଲା ସହରରେ ଥିବା ଅଗ୍ନିଶମ କେନ୍ଦ୍ରରେ କର୍ମଚାରୀ ସାଙ୍ଗକୁ ଅତ୍ୟାଧୁନିକ ଯନ୍ତ୍ରପାତି ସମ୍ପନ୍ନ ଦମକଳ ଗାଡ଼ି ଅଭାବ ଥିବା ଦେଖିବାକୁ ମିଳିଛି। ଫଳରେ ଜନସାଧାରଣଙ୍କୁ ଠିକଣା ସମୟରେ ସେବା ମିଳିପାରୁ ନ ଥିବା ଅଭିଯୋଗ ହେଉଛି।
ଆର୍‌ଏମ୍‌ସି ସମେତ ଆଖପାଖ ଅଞ୍ଚଳକୁ ସେବା ଯୋଗାଇ ଦେବା ପାଇଁ ରାଉରକେଲା ଦମକଳ କେନ୍ଦ୍ରରେ ମାତ୍ର ୫ଟି ଗାଡ଼ି ରହିଛି। ସେହିପରି ଏଠାରେ କର୍ମଚାରୀ ଅଭାବ ପରିଲକ୍ଷିତ ହୋଇଛି। କେନ୍ଦ୍ର ଅଧିକାରୀଙ୍କ କହିବା ଅନୁଯାୟୀ, ଏଠାରେ ମାତ୍ର ୧୩ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ୧୬ଟି ପଦବୀ ଥିବାବେଳେ ୧୩ ଜଣ ୨ଟି ୟୁନିଟରେ କାର୍ଯ୍ୟ କରୁଛନ୍ତି। ଗୋଟିଏ ପ୍ଲାଜମା କଟର ଭ୍ୟାନ (ରେଳ ଦୁର୍ଘଟଣା ସମୟରେ ବ୍ୟବହୃତ), ୩ଟି ପାଣି ଗାଡ଼ି ଓ ୨ଟି ଉଦ୍ଧାର କାର୍ଯ୍ୟ ପାଇଁ ଛୋଟ ଦମକଳ ରହିଛି। ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ସମେତ କାଳବୈଶାଖୀ ଓ ଗଛ କାଟିବା, ମେଳା ମହୋତ୍ସବ ଏବଂ ଭିଆଇପି କାର୍ଯ୍ୟକ୍ରମରେ ସେମାନଙ୍କୁ ଯୋଗଦେବାକୁ ପଡୁଛି। ସେହିପରି ନଦୀ କୂଳରେ ଅନୁଷ୍ଠିତ ପର୍ବପର୍ବାଣି ଯଥା ଡଙ୍ଗାଭସା, ଛଟ୍‌ ବ୍ରତ, ବେଦବ୍ୟାସ ମେଳା ଓ ଅନ୍ୟ ମେଳା ପାଇଁ ଅଗ୍ନିଶମ ବାହିନୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟତ୍ୱ ଦିଆଯାଉଛି। ରାଉରକେଲାର କୋଏଲ ନଗର, ବାସନ୍ତୀ କଲୋନୀ, ଛେଣ୍ଡ, ଉଦିତନଗର, ସିଭିଲଟାଉନଶିପ୍‌, ପାନପୋଷ ଆଦି ଆର୍‌ଏମ୍‌ସି ଅଞ୍ଚଳ ସମେତ ଗୋପବନ୍ଧୁପାଲି, ମଧୁସୂଦନପାଲି, ଟିମ୍ବରକଲୋନୀ, ମାଲଗୋଦାମ, ଗଙ୍ଗାଧରପାଲି, ବାଲୁଘାଟ ବସ୍ତି, ଦେଓଗାଁ, ବନ୍ଧମୁଣ୍ଡା ତିଲକାନଗର ବସ୍ତି, ନେପାଳୀ ବସ୍ତି ସମେତ ବଡ଼ ବଡ଼ ଜନବହୁଳ ଅଞ୍ଚଳ ରହିଛି। କାଳବୈଶାଖୀ ସମୟରେ ଅଧିକ କର୍ମଚାରୀ ଆବଶ୍ୟକ ପଡୁଥିବା ବେଳେ ଅନ୍ୟ କେନ୍ଦ୍ରରୁ ସହାୟତା ଲୋଡା ଯାଉଛି। ଏ ସମ୍ପର୍କରେ ଉପଅଗ୍ନିଶମ ଅଧିକାରୀ (ଏଏଫ୍‌ଓ) ସରୋଜ ବେହେରାଙ୍କୁ ପଚରାଯିବାରୁ ସେ କହିଲେ, ସମଗ୍ର ରାଜ୍ୟରେ ଅଗ୍ନିଶମ ବିଭାଗରେ କର୍ମଚାରୀ ଅଭାବ ରହିଛି। ରାଜ୍ୟ ସରକାର ନୂତନ ନିଯୁକ୍ତି ପାଇଁ ଉଦ୍ୟମ କରୁଛନ୍ତି। ଅନ୍ୟ ମହାନଗର ଭଳି ହାଇଡ୍ରୋଲିକ ଫ୍ଲାଟଫର୍ମ ସମ୍ପନ୍ନ ଦମକଳ ଗାଡ଼ି ବ୍ୟବସ୍ଥା ନାହିଁ। ସମସ୍ତ କଲ୍‌କୁ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଉଛୁ। ଅଧିକ ଆବଶ୍ୟକ ରହିଲେ ରାଉରକେଲା ଇସ୍ପାତ କାରଖାନା ଅଗ୍ନିଶମ ବିଭାଗର ସାହାଯ୍ୟ ନିଆଯାଉଛି। ରାଉରକେଲା ଏଏଫ୍‌ଓ ସର୍କଲ ଅନ୍ତର୍ଗତ ରାଉରକେଲା ଫାୟାର ଷ୍ଟେଶନ ପାନପୋଷ, କୁଆଁରମୁଣ୍ଡା, ନୂଆଗାଁ, ବଣେଇ, କୋଇଡ଼ା, ଲହୁଣୀପଡ଼ା, ଗୁରୁଣ୍ଡିଆ, ବିଶ୍ରା ଆଦି ଅଗ୍ନିଶମ କେନ୍ଦ୍ର ରହିଛି। ମୁଖ୍ୟ କାର୍ଯ୍ୟାଳୟରୁ ପ୍ରତ୍ୟେକ ବର୍ଷ ନିଆଁ ଲିଭାଇବା ଉପକରଣ ସମାନ ଭାବେ ବିତରଣ କରାଯାଉଛି ବୋଲି ବେହେରା କହିଥିଲେ।

Share