Advertisement

ସମ୍ବଲପୁର,୯ା୩(ବ୍ୟୁରୋ): ସମଗ୍ର ରାଜ୍ୟରେ ଜଙ୍ଗଲ ଅସୁରକ୍ଷିତ। ନିଆଁ ଆଁରେ ପୋଡ଼ି ପାଉଁଶ ହେଉଛି ମୂଲ୍ୟବାନ ବୃକ୍ଷଲତା। ବିପଦରେ ବନ୍ୟପ୍ରାଣୀଙ୍କ ଜୀବନ। ସମ୍ବଲପୁର ବନଖଣ୍ଡ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ସୋମବାର ମିଳିଥିବା ରିପୋର୍ଟ ଅନୁସାରେ ବନଖଣ୍ଡର ବିଭିନ୍ନ ସଂରକ୍ଷିତ ଜଙ୍ଗଲର ମୋଟ ୫୭ ସ୍ଥାନରେ ନିଆଁ ଲାଗିଛି। ଏଥିରେ ପ୍ରାୟ ୧୦ ହେକ୍ଟର ଜଙ୍ଗଲ ପ୍ରଭାବିିତ ହୋଇଥିବା ଡିଏଫ୍‌ଓ ଡ. ସଞ୍ଜୀତ କୁମାର କହିଛନ୍ତି। ସେ ଆହୁରି କହିଛନ୍ତି, ଜଙ୍ଗଲରେ ମାର୍ଚ୍ଚ ୧୫ରୁ ଏପ୍ରିଲ ଶେଷ ସୁଦ୍ଧା ନିଅଁା ଲାଗିଥାଏ। ଚଳିତବର୍ଷ ଅଧିକ ସ୍ଥାନ ଚିହ୍ନଟ କରାଯାଇଛି। ଏଥିପାଇଁ ମୁଖ୍ୟତଃ ସଂରକ୍ଷିତ ଜଙ୍ଗଲ ପାଖରେ ଥିବା ରୟତି ଜମିରେ ନିଆଁ ଲଗାଇବା କାରଣ ହୋଇଥାଏ। ଏହି ନିଆଁ ଜଙ୍ଗଲକୁ ବ୍ୟାପିଥାଏ। ପ୍ରାୟ ୬୦ ପ୍ରତିଶତ ଅଗ୍ନିକାଣ୍ଡ ମନୁଷ୍ୟକୃତ। ନିଜ ଜମିରେ ମହୁଲଫୁଲ ଗୋଟାଇବା, କେନ୍ଦୁପତ୍ର ତୋଳିବା, ଚାଷଜମିକୁ ପ୍ରସ୍ତୁତ କରିବା ପାଇଁ ନିଆଁ ଲଗାଇ ଦେଇଥାନ୍ତି, ଯାହାକି ଭୟଙ୍କର ରୂପ ନେଇଥାଏ। ଏବେ ସଂରକ୍ଷିତ ଜଙ୍ଗଲ ନିକଟରେ ଯେଉଁମାନଙ୍କ ଜମି ରହିଛି ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛିି। ଜମିକୁ ବନ ବିଭାଗ ପକ୍ଷରୁ ପରିଦର୍ଶନ କରାଯିବ। ଯାହା ଜମିରୁ ଜଙ୍ଗଲକୁ ନିଆଁ ବ୍ୟାପିଥିବ ସମ୍ପୃକ୍ତ ଜମି ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯିବ। ଅନ୍ୟପଟେ ପୂର୍ବରୁ ବନ ସୁରକ୍ଷା ସମିତି ଗଠନ କରାଯାଇ ନିଆଁ ଲିଭାଇବା ପାଇଁ ଦାୟିତ୍ୱ ଦିଆଯାଇଛି। ଏପରି କି ନିଆଁଲିଭା ଉପକରଣ ପ୍ରଦାନ କରାଯାଇଛି। ଏହା ସତ୍ତ୍ୱେ ଲୋକେ ସଚେତନ ହେଉନାହାନ୍ତି। ଏଥିରେ ପ୍ରାକୃତିକ ସମ୍ପତ୍ତି ନଷ୍ଟ ହେଉଛି। ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ବନ ବିଭାଗ ପକ୍ଷରୁ ୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ନିଆଁ ଆୟତ୍ତ କରିବାକୁ ସମ୍ବଲପୁର ବନଖଣ୍ଡର ସଦର, ଧମା, ରେଙ୍ଗାଲି, ଟାଉନ, ପଡିଆବାହଲ ଆଦି ୫ ରେଞ୍ଜରେ ୭୫ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share